ଉମରକୋଟ, ୨୯।୩(ସ୍ବ.ପ୍ର.): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନୂତନ ଭାବେ ତିଆରି କରାଯାଉଥିବା ହଷ୍ଟେଲ ନିକଟରେ ଦେଶୀ ମଦ ଭାଟିକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଉମରକୋଟ ପୌରାଞ୍ଚଳ ଅଧୀନ ଝରିଗାଁ ରୋଡ଼ସ୍ଥିତ ଭସ୍କେଲ ନଦୀ କଡ଼ରେ ରାଜ୍ୟ ସରକାରଙ୍କ ସହାୟତାରେ ଏକ ଛାତ୍ରାବାସ ତିଆରି କରାଯାଇଛି। ଯାହାର କୋଠା କାମ ପ୍ରାୟ ସରିବାକୁ ଗଲାଣି। ଅତିଶୀଘ୍ର ସଂଶ୍ଳିଷ୍ଟ ବିଭାଗକୁ ବିଲ୍ଡିଂ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି। କିନ୍ତୁ ଉକ୍ତ କୋଠା ପାର୍ଶ୍ୱରେ ଏକ ଦେଶୀ ମଦ ଭାଟି ରହିଛି ଯାହାକି ସରକାର ସ୍ବୀକୃତି ପ୍ରାପ୍ତ ଦେଶୀ ମଦ ଭାଟି। ଦେଶୀ ମଦଭାଟି ପାଇଁ ୨୩/୫ ନୂଆଗୁଡା ମୌଜା ପ୍ଲଟ ନମ୍ବର ୧୪୧ ଅଧିନ ୮୦ ସେଣ୍ଟ ଜଗା କୁ ତିନିବର୍ଷ ପାଇଁ ପ୍ରାୟ ୧୫ ଲକ୍ଷ୍ୟ ଟଙ୍କାରେ ଜନୈକ ବ୍ୟକ୍ତି ସରକାରଙ୍କଠାରୁ ଲିଜ ଆକାରରେ ନେଇଥିଲେ। ଉକ୍ତ ଲିଜର ଅବଧି ମାର୍ଚ୍ଚ ୩୧ ତାରିଖରେ ସରିବାକୁ ଯାଉଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଲିଜର ଅବଧିକୁ ଜିଲା ଓ ସ୍ଥାନୀୟ ପ୍ରଶାସନ ଆଗକୁ ବଢ଼ାଉଛନ୍ତି ନା ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ଉକ୍ତ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଉଛନ୍ତି। ଏ ବିଷୟରେ ଉମରକୋଟ ତହସିଲଦାର ତୁଳା ମୁଦୁଲିଙ୍କୁ ପଚାରିବାରୁ ମଦ ଭାଟିର ଲିଜ ଅବଧି ସରିଲେ ମଦଭାଟି ପାଇଁ ଅନ୍ୟ ବିକଳ୍ପ ଚିନ୍ତା କରିବାକୁ କୁହାଯିବ ବୋଲି ସେ କହିଛନ୍ତି।