ଡେସ୍କ ଜବ୍‌ ଓ ବ୍ୟାକ୍‌ ପେନ୍‌

ବର୍ତ୍ତମାନ ବ୍ୟାକ୍‌ ପେନ୍‌ ବା ପିଠି ଯନ୍ତ୍ରଣା ଅନେକଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଗଲାଣି। ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବପିଢ଼ି ଅଳ୍ପ ବୟସରୁ ଏହି ସମସ୍ୟାର ଶିକାର ହେଉଛନ୍ତି। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହି କମ୍ପ୍ୟୁଟର, ମୋବାଇଲ୍‌ ଆଦି ବ୍ୟବହାର କରିବା ଏହାର ଏକ ବଡ଼ କାରଣ। ଯଦି ଆପଣ ଏପରି ସମସ୍ୟା ଭୋଗୁଛନ୍ତି, ତେବେ ଜାଣିରଖନ୍ତୁ ଏହାକୁ ଦୂର କରିବାର କେତୋଟି ଉପାୟ…

ବ୍ୟାକ୍‌ ପେନ୍‌ ନ ହେବା ଲାଗି ଅଫିସ୍‌ରେ ହେଉ ବା ଘରେ, କମ୍ପ୍ୟୁଟର୍‌ରେ କାମ କରିବା ବେଳେ ନିଜର ବସିବା ଶୈଳୀ ଠିକ୍‌ ରଖନ୍ତୁ। ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତୁ ନାହିଁ। ଡେସ୍କ ଜବ୍‌ରେ ଦୀର୍ଘ ସମୟ ଏପରି ବସିବା ଫଳରେ ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। ଏଥିପାଇଁ ସ୍ପଣ୍ଡିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।
ଡେସ୍କଟପ୍‌ ହେଉ ଅବା ଲ୍ୟାପ୍‌ଟପ୍‌କୁ ଟେବୁଲ୍‌ ଉପରେ ଏପରି ରଖନ୍ତୁ, ଯେପରି ଏହାର ସ୍କ୍ରିନ୍‌ ଆପଣଙ୍କ ଆଖି ସହ ସମାନ୍ତରାଳ ଭାବେ ରହିବ। ନଚେତ୍‌ ମୁଣ୍ଡ ନୁଅଁାଇବା ଅବା ଉଠାଇ ଦୀର୍ଘ ସମୟ କାମ କରିବା ଦ୍ୱାରା ବେକରେ ଚାପ ପଡ଼ି ଖୁବ୍‌ ଯନ୍ତ୍ରଣା ହୋଇଥାଏ।..
ବ୍ୟାକ୍‌ ପେନ୍‌ ପାଇଁ ଚେୟାର ମଧ୍ୟ କେତେକାଂଶରେ ଦାୟୀ। ତେଣୁ ଏପରି ଚେୟାର ବାଛନ୍ତୁ, ଯେଉଁଥିରେ ବସିଲେ ନା କେବଳ ଆରାମ ଲାଗିବ ବରଂ ବେକ, ପିଠି, ଅଣ୍ଟା ଜାକି ନ ହୋଇ ସିଧା ରହୁଥିବ। ଯଦି ଅଫିସ୍‌ରେ ଏପରି ଚେୟାର ନାହିଁ, ତେବେ ଆପଣ ପିଠିକୁ ସପୋର୍ଟ ଦେବା ଲାଗି ଚେୟାର୍‌ରେ ଏକ ତକିଆ ରଖି ବସିପାରିବେ।
ଯନ୍ତ୍ରଣା ଅଧିକ ହେଲେ ମନଇଚ୍ଛା ପେନ୍‌କିଲର ନ ଖାଇ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ଆରମ୍ଭ କରନ୍ତୁ। ନଚେତ୍‌ ସାମାନ୍ୟ ଅବହେଳାରୁ ଆପଣ ଅଧିକ ଯନ୍ତ୍ରଣା ଭୋଗିପାରନ୍ତି।
ମନେରଖନ୍ତୁ, ଡେସ୍କ ଜବ୍‌ କରୁଥିଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି କାମ ନ କରି ମଝିରେ ମଝିରେ ସିଟ୍‌ରୁ ଉଠି ଅଳ୍ପ ଚାଲନ୍ତୁ। ହାତ ଉଠାଇବା, ବେକ ଏବଂ ପିଠିକୁ ରିଲାକ୍ସ କରିବା ଭଳି ହାଲୁକା ଏକ୍ସରସାଇଜ୍‌ କରନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ସହ ମାଂସପେଶୀ ମଧ୍ୟ ରିଲାକ୍ସ ହେବ ଏବଂ ଯନ୍ତ୍ରଣା ଦୂର ହେବ।
ଡେସ୍କ ଜବ୍‌ କରୁଥିଲେ ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ ଆଦି କରିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହାହିଁ ଆପଣଙ୍କୁ ଏକ ଯନ୍ତ୍ରଣାମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରିବ।