୫୭ଦିନରୁ ସୂର୍ଯ୍ୟ ଦେଖିନାହାନ୍ତି ସୁଡ଼ଙ୍ଗରେ ଫସିରହିଥିବା ୟୁକ୍ରେନବାସୀ

କ୍ୱିଭ୍‌,୨୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ମାସ ବିତିଥିବା ବେଳେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମାରିଆପୋଲ ସହରକୁ କବ୍‌ଜା କରିନେଇଥିବା ଦାବି କରିଛନ୍ତି। ଅନ୍ୟ ସହରଗୁଡ଼ିକରେ ଏବେ ବି ରୁଷୀୟ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କେତେକ ମହିଳା ଓ ଶିଶୁ ଅଣ୍ଡରଗ୍ରାଉଣ୍ଡ ଟନେଲରେ ଲୁଚିରହିଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ବାହାରକୁ ଆସି ନ ଥିବା ବେଳେ ୫୭ଦିନ ହେଲାଣି ସେମାନେ ଖୋଲାଆକାଶ ବା ସୂର୍ଯ୍ୟ ଦେଖି ନ ଥିବା କହିଛନ୍ତି। ଅପରପକ୍ଷେ ସେମାନଙ୍କ ନିକଟରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନ ଥିବା ବେଳେ ବଳକା ଖାଦ୍ୟ ମଧ୍ୟ ସରି ସରି ଯାଉଛି। ତେଣୁ ମହିଳା ଓ ଶିଶୁମାନେ ବାହାରକୁ ଯିବାକୁ ଚାହୁଁଛନ୍ତି ବୋଲି ଉକ୍ତ ଭିଡିଓରେ ନଜର ଆସିଛି। ଶନିବାର ସକାଳେ ଏକ ସୁଡ଼ଙ୍ଗରେ ଲୁଚି ରହିଥିବା ଅନେକ ମହିଳା ଏବଂ ଶିଶୁଙ୍କର ଏକ ଭିଡିଓ ୟୁକ୍ରେନର ନ୍ୟାସନାଲ ଗାର୍ଡର ଏଜୋଭ ରେଜିମେଣ୍ଟର ସଦସ୍ୟମାନେ ଜାରି କରିଥିଲେ। ଏହି ଭିଡିଓରେ ଅନେକ ମହିଳା ଓ ଶିଶୁ କହିଛନ୍ତି ଯେ, ସେମାନେ ଦୁଇମାସ ଧରି ଏହି ଅଣ୍ଡରଗ୍ରାଉଣ୍ଡ ଟନେଲରେ ଆଶ୍ରୟ ନେଇଛନ୍ତି ଏବଂ ଦୀର୍ଘ ସମୟ ଧରି ବାହାରକୁ ବାହାରିନାହାନ୍ତି। ସେମାନଙ୍କର ଖାଦ୍ୟ ସରିଆସିଥିବା ବେଳେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି ବୋଲି ଜଣେ ମହିଳା ଉକ୍ତ ଭିଡ଼ିଓରେ କହିଛନ୍ତି। ଏତଦ୍‌ବ୍ୟତୀତ ଭିଡିଓରେ ଜଣେ ବାଳକ କହିଛନ୍ତି, ସେ ଗତ ଦୁଇମାସ ଧରି ଏଠାରେ ରହିଛି, ଏବେ ବାହାରକୁ ଯିବାକୁ ଚାହୁଁଛି। ଗତ ୫୭ଦିନ ହେଲାଣି ସୂର୍ଯ୍ୟ ଦେଖିନାହିଁ। ଏଠାରେ ବହୁତ ଅନ୍ଧକାର, ଏବେ ସୂର୍ଯ୍ୟଙ୍କୁ ଦେଖିବାକୁ ଚାହୁଁଛି ବୋଲି ଉକ୍ତ ବାଳକ କହିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ରେଜିମେଣ୍ଟର ଡେପୁଟି କମାଣ୍ଡର ସ୍ବିଟୋସ୍ଲାଭ ପାଲମାର କହିଛନ୍ତି ଯେ, ଏହି ଭିଡିଓ ଗୁରୁବାର କରାଯାଇଛି। ସେହି ଦିନ ହିଁ ରୁଷିଆ ମାରିଆପୋଲ ଉପରେ ନିଜର ବିଜୟ ଘୋଷଣା କରିଥିଲା। ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ମାରିଅପୋଲରେ ଏବେ ବି ୧ଲକ୍ଷରୁ ଅଧିକ ଲୋକ ଫସିରହିଛନ୍ତି। ୨ମାସ ଯୁଦ୍ଧ ମଧ୍ୟରେ ମାରିଆପୋଲରେ ପ୍ରାୟ ୨୦ହଜାରରୁ ଅଧିକ ନାଗରିଙ୍କ ମୃତ୍ୟୁ ହୋଇଛି ବୋଲି ଉକ୍ତ ଅଧିକାରୀ ଦାବି କରିଛନ୍ତି।

Share