ଇଚ୍ଛାମୃତ୍ୟୁ ପାଇଁ ନିବେଦନ କଲେ ନିରାଶ୍ରୟ ମହିଳା

ଜଳେଶ୍ୱର,୩୦ା୬(ନବୀନ ସାହୁ): ପଙ୍ଗୁ ଅବସ୍ଥାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳ ୯ନଂ. ୱାର୍ଡର ନିରାଶ୍ରୟ ମହିଳା କାଞ୍ଚନ ନାୟକ ଇଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଟୁଇଟ୍‌ ମାଧ୍ୟମରେ ନିବେଦନ କରିଛନ୍ତି। ତାଙ୍କର ପ୍ରକୃତ ଘର ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଗିଲାଜୁଡି ଗ୍ରାମରେ। ୩୫ବର୍ଷ ପୂର୍ବେ ସେ ପରିତ୍ୟକ୍ତା ହେବା ପରେ ଜଳେଶ୍ୱର ଅଞ୍ଚଳରେ ଭଡା ନେଇ ରହୁଥିଲେ। ସହରର ବ୍ଲକ ବଜାରସ୍ଥିତ ସୀମା ପ୍ରିଣ୍ଟିଂ ପ୍ରେସରେ କାମ କରି ଚଳୁଥିଲେ। ପରେ ନିଜେ ବାସୁ ପ୍ରିଣ୍ଟସ୍‌ ନାମକ ଏକ ସଂସ୍ଥା ଖୋଲି ବିଭିନ୍ନ ପ୍ରକାର କାର୍ଡ଼ ଓ ରସିଦ ଆଦି ସ୍କ୍ରିନ ପ୍ରିଣ୍ଟିଂ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୭ତାରିଖରେ ସେ ରହୁଥିବା ଏକ ଦୁଇମହଲା ଭଡ଼ା ଘରୁ ଓହ୍ଲାଉଥିବା ବେଳେ ଲୁହା ସିଡ଼ିରୁ ଗୋଡ଼ ଖସିଯାଇ ପଡ଼ିଯାଇଥିଲେ। ସେ ଗୁରୁତର ହେବା ସହିତ ଗୋଡ଼ ଓ ଅଣ୍ଟାହାଡ଼ ଭାଙ୍ଗିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ମନା କରିବା ପରେ ସ୍ଥାନୀୟ ଲୋକେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କର ଚିକିତ୍ସା ହୋଇପାରିବ ନାହିଁ ବୋଲି ଡାକ୍ତର କହିବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ବହୁ ଚେଷ୍ଟା ପରେ ତାଙ୍କର ଅସ୍ତ୍ରୋପ୍ରଚାର କରାଯାଇଥିଲା। କିନ୍ତୁ ଦୁଇଦିନ ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରି ଦିଆଯାଇ ପୁଣି ଭଡ଼ାଘରେ ଆଣି ଛାଡ଼ିଦିଆଯାଇଥିଲା। ନିଜର ହାତ ଗୋଡ଼ ଚାଲୁ ନ ଥିବା ବେଳେ ତାଙ୍କର ପରିବାର ଲୋକେ ସେବା କରିବା ତ ଦୂରର କଥା ତାଙ୍କୁ ଦେଖିବା ପାଇଁ ମଧ୍ୟ ପାଖକୁ କେହି ଆସୁନାହାନ୍ତି। ତେଣୁ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରିଛନ୍ତି।