Categories: ଫୁରସତ

ଉଚ୍ଚଶିକ୍ଷିତ ହୋଇ ବି ରାସ୍ତାକଡ଼ରେ ଲଗାଇଛନ୍ତି ଷ୍ଟଲ

ଭଲ ପାଠ ପଢ଼ିଲେ, ବଡ଼ ଚାକିରି କରିବ। ଛୋଟବେଳୁ ପିଲାଙ୍କୁ ଏଇ କଥା ଶିଖାଯାଏ; ଯାହା ତା’ର ମନ ଭିତରେ ଘର କରିଯାଏ। ତେଣୁ ଅନେକ କ୍ଷେତ୍ରରେ ଲକ୍ଷ୍ୟ କେବଳ ବଡ଼ ଚାକିରି କରିବାରେ ସୀମିତ ରହିଯାଏ। ସେଇଥିପାଇଁ ଉଚ୍ଚଶିକ୍ଷିତ ହେବା ପରେ ଚାକିରି ଛଡ଼ା ଅନ୍ୟ କିଛି କରିବାକୁ କେହି ପସନ୍ଦ କରନ୍ତି ନାହିଁ। ଆଉ ଚାକିରି ନ ମିଳିଲେ ହତାଶ ହୋଇ କରି ବସନ୍ତି ବଡ଼ ବଡ଼ ଭୁଲ୍‌। ତେବେ ଏହା ବ୍ୟତିରେକରେ ଏବେ ଦେଖିବାକୁ ମିଳୁଛି କେତେକ ଯୁବପିଢ଼ି କର୍ମ ହିଁ ଭଗବାନ କଥାକୁ ବିଶ୍ୱାସ କରୁଛନ୍ତି। ଆଉ କୌଣସି କାମକୁ ଛୋଟ କି ବଡ଼ ନ ଭାବି ଉଚ୍ଚଶିକ୍ଷିତ ହୋଇ ବି ରାସ୍ତାକଡ଼ରେ ଷ୍ଟଲ ଲଗାଇ ଛୋଟ ବ୍ୟବସାୟ ଆରମ୍ଭ କରୁଛନ୍ତି। ଏମିତି କରି ସେମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦେଇପାରୁଛନ୍ତି। ସେମିତି କେତେଜଣ ଉଚ୍ଚଶିକ୍ଷିତ ଷ୍ଟ୍ରିଟ୍‌ଫୁଡ ବ୍ୟବସାୟୀ ଏଥରର ପ୍ରଚ୍ଛଦରେ…

ସମୋସା କିଙ୍ଗ୍‌ ଶୈଳେନ୍ଦ୍ର: ଶୀତ ସନ୍ଧ୍ୟାରେ ଗରମ ଗରମ ସିଙ୍ଗଡା ଖାଇବାକୁ କିଏ ବା ଭଲ ନ ପାଇବ। ସେପୁଣି ଯଦି ଭିନ୍ନ ଭିନ୍ନ ପ୍ରକାରର ସ୍ବାଦିଷ୍ଟ ଷ୍ଟଫିଙ୍ଗରେ ମିଳେ, ତେବେ ତ ପୂରା ମଜା ଆସିଯିବ। ଶୁଣିକି ଯଦି ଖାଇବାକୁ ଇଚ୍ଛା ହେଉଛି, ତେବେ ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ଆଡେ ଯାଆନ୍ତୁ। ପ୍ଲାନେଟୋରିମ୍‌ ପାର୍ଶ୍ୱରେ ହିଁ ଦେଖିବାକୁ ପାଇବେ ‘ସମୋସା କିଙ୍ଗ’ ଫୁଡ୍‌ ଭ୍ୟାନ୍‌। ଏଠି ଶୈଳେନ୍ଦ୍ର ତରାଇ ନାମକ ଜଣେ ୨୬ ବର୍ଷୀୟ ଯୁବକ ସିଙ୍ଗଡ଼ା ତିଆରି କରିଥାନ୍ତି। ତାଙ୍କ ସିଙ୍ଗଡ଼ାର ଏତେ ଚାହିଦା ଯେ, ୨ ଘଣ୍ଟା ଭିତରେ ତାଙ୍କର ସବୁ ସିଙ୍ଗଡ଼ା ବିକ୍ରି ହୋଇଯାଏ। ଆଉ ଏକଦା ଏହି ଯୁବକ ଜଣକ ଉଚ୍ଚଶିକ୍ଷିତ। ସେ ଏମ୍‌ବିଏ କରିଛନ୍ତି। ତା’ସହ ଏବେ ମାର୍କେଟିଂ ଓ ଫାଇନାନ୍ସରେ ପିଏଚ୍‌ଡି ବି କରୁଛନ୍ତି। ସେ ଚାହିଁଥିଲେ ଭଲ କମ୍ପାନୀରେ ଚାକିରି କରି କରିପାରିଥାନ୍ତେ। କିନ୍ତୁ ସେ କେବେ ବି ଚାକିରି କରିବାକୁ ଚାହିଁ ନ ଥିଲେ। ଶୈଳେନ୍ଦ୍ର କହନ୍ତି,‘ମୋର ସବୁବେଳେ ଫୁଡ୍‌ ସେକ୍ଟରରେ କାମ କରିବାକୁ ଇଚ୍ଛା ଥିଲା। ତେଣୁ ଗ୍ରାଜୁଏସନ୍‌ ୩ୟ ବର୍ଷରେ ପଢ଼ିବାବେଳୁ ଫ୍ରୋଜେନ୍‌ ଫୁଡ୍‌ ଉପରେ ରିସର୍ଚ୍ଚ ଆରମ୍ଭ କରିଦେଇଥିଲି। ୫ବର୍ଷ ରିସର୍ଚ୍ଚ କଲି। ୨୦୧୮ରେ ଏମ୍‌ବିଏ ପଢ଼ା ସରିଲା। ୨୦୧୯ରେ ପ୍ରଥମେ ‘ମିସ୍କି’ ନାମରେ ଫ୍ରୋଜେନ୍‌ ଫୁଡ(ନନ୍‌ଭେଜ୍‌) ବିଜ୍‌ନେସ୍‌ ଆରମ୍ଭ କରିଥିଲି। ମେଶିନ ଆଣିଥିଲି। କିଛି ପିଲା ବି ରଖିଥିଲି। ହୋଟେଲ, ରେଷ୍ଟୁରାଣ୍ଟଗୁଡିକୁ ଫ୍ରୋଜେନ ନନ୍‌ଭେଜ୍‌ ଆଇଟମ୍‌ ଦେଉଥିଲୁ। ବ୍ୟବସାୟ ଭଲ ଚାଲିଥିଲା। ହେଲେ ୬ ମାସ ପରେ କରୋନା ଆସିବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ହୋଇଗଲା। ତା’ସହ ମୋ ବ୍ୟବସାୟ ବି ପୂରା ବନ୍ଦ ହୋଇଗଲା। ବହୁତ କ୍ଷତି ହେଲା। କିଛି ଧାର ଉଧାର କରି ମିସ୍କିକୁ ପୁଣିଥରେ ଆରମ୍ଭ କରିବା ସହ ସିଙ୍ଗଡ଼ା ବ୍ୟବସାୟ କରିବାକୁ ଭାବିଲି। ଏଥର ମିସ୍କିର ଆଇଟମ୍‌ ହୋଟେଲକୁ ନ ଦେଇ କନଜ୍ୟୁମର୍‌ଙ୍କୁ ଦେଲୁ। ଏହାର ଚାହିଦା ବି ବଢ଼ିବାକୁ ଲାଗିଲା। ଏହାସହ ସିଙ୍ଗଡ଼ା ତିଆରି ପାଇଁ ଗୁଜରାଟରୁ ମେଶିନ ଆଣିଲି। ହେଲେ ସେଥିରେ ତିଆରି ସିଙ୍ଗଡ଼ାକୁ ଦେଖି ଲାଗିଲା ତାହା ଓଡ଼ିଶା ଗ୍ରାହକଙ୍କୁ ଭଲ ଲାଗିବନି। ତେଣୁ ତାକୁ ଫେରେଇ ଦେଇଥିଲି। ଆଉ ହାତରେ ହିଁ ତିଆରି କରିବା ଆରମ୍ଭ କଲି। ଏତିକିବେଳେ ଜଣେ ସାଙ୍ଗର କୋଭିଡ୍‌ରେ କ୍ଷତି ହୋଇଥିବାରୁ ମତେ ତା’ର ଫୁଡ ଭ୍ୟାନ ବିକ୍ରି କରିବା କଥା କହିଲେ। ଭାବିଲି ଗାଡ଼ି ଯେତେବେଳେ ମିଳିଲା ୟାକୁ ବ୍ୟବହାର କରିବି। ଆଉ ଏଇ ୨ ମାସ ହେବ ଆଚାର୍ଯ୍ୟବିହାର ପ୍ଲାନେଟୋରିୟମ୍‌ ସାଇଡ୍‌ରେ ମୋ ଫୁଡ ଭ୍ୟାନ ଲଗାଇଛି। ସବୁବେଳେ ରିସର୍ଚ୍ଚକୁ ଭଲ ପାଉଥିବାରୁ ସିଙ୍ଗଡା ଷ୍ଟଫିଙ୍ଗରେ ବି ରିସର୍ଚ୍ଚ କରି ବିଭିନ୍ନ ପ୍ରକାରର ସିଙ୍ଗଡା ତିଆରି କଲି। ଏବେ ଚିକେନ ସମୋସା, ମଟନ ସମୋସା, ଫିଶ୍‌ ସମୋସା, ପ୍ରନ୍‌ ସମୋସା, ସୋୟା, ମସରୁମ, ଚାଉମିନ, ସ୍ପ୍ରାଉଟ୍‌, ବେବି କର୍ନ, ଚକୋଲେଟ୍‌ ସମୋସା ଭଳି ବିଭିନ୍ନ ଭେରାଇଟିର ସମୋସା ଆମେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରଖିଛୁ। ଲୋକେ ବି ସେସବୁକୁ ବହୁତ ପସନ୍ଦ କରୁଛନ୍ତି। ଏବେ ସିଙ୍ଗଡ଼ା ମୋଡ଼ିବା, ପିଆଜ କାଟିବା ଭଳି କାମ କରିବା ପାଇଁ ମୁଁ ୯ଜଣଙ୍କୁ ରଖିଛି। ତେବେ ଷ୍ଟଫିଙ୍ଗ ମୁଁ ନିଜେ ତିଆରି କରେ। ପାଣ୍ଡରାସ୍ଥିତ ଓ୍ବାର୍କଶପ୍‌ରେ ଦୁଇଟା ସିଫ୍ଟରେ ସିଙ୍ଗଡ଼ା ତିଆରି କରି ଫ୍ରୋଜେନ୍‌ କରି ରଖୁ। ଦିନକୁ ୧୦୦୦ ସିଙ୍ଗଡ଼ା ପ୍ରସ୍ତୁତ କରାଯାଉଛି। ଅପରାହ୍ନ ୫ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିଥାଉ। ସେହି ଫ୍ରୋଜେନ୍‌ ସିଙ୍ଗଡ଼ାକୁ କେବଳ ଆଣି ଛାଣି ଗ୍ରାହକଙ୍କୁ ଦେଇଥାଉ। ମାସକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଆୟ ହେଉଛି। ସିଙ୍ଗଡ଼ାରେ ଫ୍ଲେଭର୍‌ ଦେବା ଲାଗି ମସଲା ଆମେ ଓଡ଼ିଶା ବାହାରୁ ଆଣି ବ୍ୟବହାର କରୁ। ସେଥିପାଇଁ ଆମ ସିଙ୍ଗଡ଼ାର ସ୍ବାଦ ସବୁଠୁ ଭିନ୍ନ। ଏବେ ଲକ୍ଷ୍ୟ ରହିଛି କେଏଫସି ମାକ୍‌ଡୋନାଲ୍ଡ ପରି ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍‌ କରି ସେଠି ସବୁ ଜିନିଷ ତିଆରି କରି ବିଭିନ୍ନ ଜାଗାକୁ ପଠାଇବୁ। ସେହିଭଳି ସିଙ୍ଗଡ଼ା ପ୍ରସ୍ତୁତିର ଏସ୍‌ଓପି ପ୍ରସ୍ତୁତ କରିବାକୁ ବି ଚାହୁଁଛି; ଯଦ୍ଦ୍ବାରା ଆମ ପିଲାଙ୍କ ଭିତରୁ ଯିଏ ବି ରୋଷେଇ କରିବେ ସମାନ ସ୍ବାଦ ଆସିବ। ଆଉ ମୁଁ ଏଇ କାମରୁ ଟିକେ ବିରତି ପାଇପାରିବି ଏବଂ ଆଗକୁ ବଢ଼ିବାର ଯୋଜନା କରିପାରିବି।

ଇଞ୍ଜିନିୟର ଚା’ ବାଲା: ଖରା, ବର୍ଷା ହେଉ ଅବା ଶୀତ। ଚା’ର ମଜା ସବୁ ଋତୁରେ ନିଆରା। ତେଣୁ ଚା’କୁ ଭଲ ପାଉଥିବା ଲୋକ ଓ ଚା’ ଦୋକାନଗୁଡିକର ବେଶ୍‌ ଚାହିଦା ଥାଏ। ମୟୂରଭଞ୍ଜ, ବାରିପଦାରେ ବି ଏକ ଚା’ ଦୋକାନ ଅଛି; ଯାହାର ଗ୍ରାହକଙ୍କ ତାଲିକା ଢେର ଲମ୍ବା। ଏହି ଚା’ର ସ୍ବାଦ ଯେମିତି ଚର୍ଚ୍ଚାରେ ତା’ର ଦୋକାନୀ ବି ସେମିତି ଚର୍ଚ୍ଚାରେ। କାରଣ ସେ ଜଣେ ଇଞ୍ଜିନିୟର୍‌ ଚା’ ବାଲା। ତାଙ୍କ ନାମ ହେଉଛି ତାପସରଞ୍ଜନ ଧରମହାପାତ୍ର। ବୟସ ୩୨ ବର୍ଷ। ତାପସ କହନ୍ତି, ‘ଚେନ୍ନାଇରେ ଇଞ୍ଜିନିୟରିଂ ପଢିବା ପରେ ପ୍ରଥମେ ସିଲ୍‌ଭାସା ଓ ପରେ ବରୋଦାରେ ଚାକିରି କରୁଥିଲି। କିନ୍ତୁ ସେଠାରେ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହୁ ନ ଥିଲା। ଥରେ ଜଣ୍ଡିସ୍‌ ହେଲା। ତେଣୁ ଘରକୁ ଆସିଲି ଚିକିତ୍ସା ସହ ବିଶ୍ରାମ ନେବା ପାଇଁ। ଭଲ ହେବା ପରେ ଫେରିଥିଲି। କିନ୍ତୁ ପୁଣିଥରେ ଜଣ୍ଡିସ୍‌ ହେଲା। ତେଣୁ ଆଉଥରେ ଘରକୁ ଫେରିଲି। ଘରେ କହିଲେ ଆଉ ଯାଆନା। ଏଇଠି ରହି କିଛି କାମ ଆରମ୍ଭ କରେ। ଏତିକିବେଳେ ବାପାଙ୍କର ବି ଦେହାନ୍ତ ହେଇଗଲା। ତେଣୁ ଆଉ ଚାକିରି କରିବାକୁ ଚାହିଁଲିନି। ଚାରି ଭଉଣୀଙ୍କ ବିବାହ ପରେ ଗାଁରେ ମା’ ପାଖରେ କେହି ନ ଥିଲେ। ତା’ ପାଖରେ ରହି କିଛି ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି। ଅଭିଜ୍ଞତା ନ ଥିଲା କି ବ୍ୟବସାୟୀ ପରିବାରରୁ ବି ମୁଁ ନୁହେଁ। ତେଣୁ ବଡ ଧରଣର କିଛି ଆରମ୍ଭ କରିବାକୁ ଚାହିଁଲିନି। ଇଣ୍ଟରନେଟ୍‌ ଜରିଆରେ ସିଲିଗୁଡିର ଏକ ଚା’ ଫାର୍ମ ସହ କଥାବାର୍ତ୍ତା ହେଇ ମେମ୍ବର ହେଲି। ସେମାନେ ସାରା ଓଡିଶା ପାଇଁ ଚା’ ଫ୍ରାଞ୍ଚାଇଜ୍‌ ନେବାକୁ କହିଲେ। ମୁଁ ଆରମ୍ଭରୁ ଏତେ ବଡ କାମ କରିପାରିବିନି କେବଳ ନିଜ ଜିଲା ପାଇଁ ପ୍ରଥମେ ଆରମ୍ଭ କରିବି କହିଲି। ସେଥିରେ ସେମାନେ ରାଜି ହେଲେ। ଦାର୍ଜିଲିଂର କଡକ୍‌ ଚା’ ସିଲିଗୁଡିର ସେଇ ଫାର୍ମରୁ ପ୍ୟାକିଂ ହୋଇ ମୋ ପାଖକୁ ଆସିଲା। ସେଗୁଡିକୁ ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଛୋଟିଆ ଷ୍ଟଲ୍‌ କଲି। ପ୍ରଥମେ ଲୋକଙ୍କୁ ସେଇ ଚା’ର ସ୍ବାଦ ଚଖେଇବା ପାଇଁ ପିଲାଟିଏ ରଖି ତନ୍ଦୁର ଚା’ ଯାହାକି ବାରିପଦାରେ ମିଳୁ ନ ଥିଲା ତାକୁ ତିଆରି କରି ଲୋକଙ୍କୁ ଦେଲୁ। ଲୋକେ ଆଗ୍ରହର ସହ ତନ୍ଦୁର ଚା’ ପିଇବାକୁ ଆସିଲେ। ତା’ର ସ୍ବାଦ ଯେମିତି ଭିନ୍ନ ତିଆରି କରିବାଶୈଳୀ ବି ଅଲଗା। ତେଣୁ ଅଧିକରୁ ଅଧିକ ଲୋକ ଏହାର ସ୍ବାଦ ଚାଖିବାକୁ ଆସିଲେ। ଚା’ ପିଇବା ପରେ ଚା’ ପତି ପ୍ୟାକେଟ୍‌ ବି କିଣିଲେ। ତନ୍ଦୁର ଚା’ର ଚାହିଦା ଏତେ ବଢ଼ିଗଲା ଯେ, ଚା’ ପତି ଅପେକ୍ଷା ତନ୍ଦୁର ଚା’ ବିକ୍ରି ଅଧିକ ହେଲା। ତେଣୁ ଚା’ ଡିଷ୍ଟ୍ରିବ୍ୟୁଟରରୁ ହୋଇଗଲି ଚା’ ବାଲା। ଆଉ ବିଭିନ୍ନ ଭେରାଇଟିର ଚା’ ଯେମିତି କି ମସାଲା ଚା’, କେଶର ଚା, ସାଦା ଚା’, ଗ୍ରୀନ ଟି, ବ୍ଲାକ୍‌ ଟି’ ଆଦି ତିଆରି କରିବା ଆରମ୍ଭ କଲୁ। ଏବେ ତିନିଜଣ ପିଲା ଅଛନ୍ତି ଚା’ ତିଆରି କରିବାକୁ। ଦିନକୁ ପ୍ରାୟ ୧୫୦୦୦ଟଙ୍କା ରୋଜଗାର ହେଉଛି। ଏବେ ରାଇରଙ୍ଗପୁରରେ ଆଉ ଏକ ଚା’ କାଉଣ୍ଟର ଖୋଲୁଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ କାଉଣ୍ଟର କରିବାକୁ ଯୋଜନା ରଖିଛି। କିନ୍ତୁ କରୋନା ପାଇଁ ଆଗକୁ ସେତେଟା ବଢ଼ି ହେଉନି। ମୁଁ ମୋ କାମକୁ ନେଇ ବେଶ୍‌ ସନ୍ତୁଷ୍ଟ ଅଛି।

ଇଞ୍ଜିନିୟର୍‌ ପାନ ଦୋକାନୀ: କେନ୍ଦୁଝର ସହର ନୂଆ ସାହିରେ ରହୁଛନ୍ତି ପ୍ରୀତିକାନ୍ତ ବେହେରା ା ବୟସ ୨୬ ବର୍ଷ ା ବାପା କଳାକାର ବେହେରା ହେଉଛନ୍ତି ଜଣେ ଶିକ୍ଷକ ଓ ମା’ ଗୃହିଣୀ ା କେନ୍ଦୁଝରସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରୁ ମାଟ୍ରିକ ପରୀକ୍ଷା ପାସ କରି ପ୍ରୀତିକାନ୍ତ ଭୁବନେଶ୍ୱରରେ ଏକ ଘରୋଇ ଯୁକ୍ତ ୨ ବିଜ୍ଞାନ କଲେଜରେ ପଢ଼ି ସାରିବା ପରେ ଆଦର୍ଶ କଲେଜ ଅଫ ଇଂଜିନିୟରିଂରେ ପଢ଼ିଲେ। ୨୦୧୮ରେ ସେ ମେକାନିକାଲ ବିଭାଗରେ ଡିଗ୍ରୀ ହାସଲ କରି କେନ୍ଦୁଝର ଜିଲାର ଏକ ଇସ୍ପାତ କାରଖାନାରେ ଟ୍ରେନିଂ ନେଇ ଏକ ଭଲ ଚାକିରିଟିଏ ପାଇବା ପାଇଁ ବେଶ୍‌ ଆଶାବାଦୀ ଥିଲେ। କିନ୍ତୁ କେନ୍ଦୁଝର ଭଳି ଖଣି ଖାଦାନ ଓ ଶିଳ୍ପଭରା ଜିଲାରେ ବି ତାଙ୍କୁ ଚାକିରି ମିଳିଲା ନାହିଁ ା ପ୍ରୀତିକାନ୍ତ କହନ୍ତି, ‘ବାହାର ରାଜ୍ୟର ଅଣ ଓଡିଆ ଯୁବତ/ଯୁବକମାନଙ୍କୁ ବେଶି ଯୋଗ୍ୟ ମନେ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି। ହେଲେ ସ୍ଥାନୀୟ ଯୁବତୀ ଯୁବକ ଉଚ୍ଚଶିକ୍ଷିତ ହୋଇ ବି ଚାକିରିରୁ ବଞ୍ଚତ୍ତ ହେଉଛନ୍ତି। ଚାକିରି ନ ମିଳିବାରୁ ମନ କଷ୍ଟ ହେଉଥିଲା ସତ, ହେଲେ ଏଥିରେ ଧୈର୍ଯ୍ୟହରା ନ ହୋଇ ଅନ୍ୟ କିଛି କାମ ଖୋଜିଲି। ଆଉ ଏକ ଟିଭି ଶୋ’ ରୁମରେ ଚାକିରି ପାଇଲି। କିନ୍ତୁ କିଛିଦିନ କାମ କରିବା ପରେ ଭାବିଲି ଅନ୍ୟ କାହା ଅଧୀନରେ କାମ କରିବା ପରିବର୍ତ୍ତେ ନିଜେ କିଛି ବ୍ୟବସାୟ ଆରମ୍ଭ କରି ସ୍ବାବଲମ୍ବୀ ହେବାରେ କ୍ଷତି କ’ଣ? କୌଣସି କାମ ଛୋଟ କି ବଡ଼ ହୋଇ ନ ଥାଏ। ଯେଉଁ କାମରେ ଆତ୍ମସମ୍ମାନ ରହିବା ସହ ଆତ୍ମସନ୍ତୋଷ ଓ ଖୁସି ମିଳିବ ସେଭଳି କାମ କରିବା ଭଲ। ଆଉ ଏକ ଛୋଟ ପାନ ଦୋକାନ ଖୋଲିଲି। ଧୀରେ ଧୀରେ ତାହା ଭଲ ଚାଲିଲା, ବ୍ୟବସାୟ ବଢିଲା। ଏବେ ପାନ ଦୋକାନ ସହ ଭେରାଇଟି ଷ୍ଟୋର କରିଛି। ଚାକିରି ପାଇଲିନି ବୋଲି ଅବସୋସ ନାହିଁ। କାରଣ ମୁଁ ହତାଶ ନ ହୋଇ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟ ଉଚ୍ଚ ଶିକ୍ଷିତ ଯୁବତୀଯୁବକଙ୍କ ପାଇଁ ଆଦର୍ଶ ପାଲଟି ପାରିଛି ା

ମୋମୋ କୁଇନ୍‌ ସୁନୀତା: ନେପାଳ ଓ ତିବ୍ବତର ପାରମ୍ପରିକ ଖାଦ୍ୟ ମୋମୋର ଚାହିଦା ଏବେ ଆମ ରାଜ୍ୟରେ ଏତେ ଯେ, ଶପିଂମଲ୍‌ଠୁ ଆରମ୍ଭ କରି ପ୍ରତିଗଳିରେ ଦେଖିବାକୁ ମିଳେ ଏହାର ଷ୍ଟଲ୍‌। ରାଜଧାନୀ ଭୁବନେଶ୍ୱରରେ ବି ଅଛି ଅନେକ ମୋମୋ ଷ୍ଟଲ। ତେବେ ତା’ଭିତରେ ଗୋଟିଏ ଷ୍ଟଲ ଲାଗେ ଟିକେ ଭିନ୍ନ। ଏଇ ଷ୍ଟଲ୍‌ରେ ମୋମୋ ପ୍ରସ୍ତୁତ କରି ବିକ୍ରି କରନ୍ତି ସୁନୀତା ମହାରଣା ନାମ୍ନୀ ଜଣେ ଯୁବତୀ। ଖାଲି ଜଣେ ଝିଅ ମୋମୋ ବିକ୍ରି କରୁଥିବାରୁ ଏଇ ଷ୍ଟଲ ସ୍ବତନ୍ତ୍ର ନୁହେଁ। ବରଂ ଏହି ଯୁବତୀ ଜଣକ ଉଚ୍ଚ ଶିକ୍ଷିତା ମଧ୍ୟ। ସେ ଜଣେ ଗ୍ରାଜୁଏଟ୍‌। ରୁହନ୍ତି ଶିରିପୁର ଛକ ଓୟୁଏଟି କ୍ୟାମ୍ପସ ନିକଟରେ। ସୁନିତା କୁହନ୍ତି,‘କରୋନା ପୂର୍ବରୁ ମୁଁ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲି। କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଗଲା ଏବଂ ମୁଁ ଚାକିରି ହରାଇଲି। ବାପା କାଠ କାମ କରୁଥିଲେ। ତିନି ଭାଇ ଭଉଣୀ ଭିତରେ ମୁଁ ବଡ଼। ସାନ ଭାଇ ବି.ଟେକ୍‌ ପଢୁଛି। ଘରର ଆର୍ଥିକସ୍ଥିତି ସେତେଟା ଭଲ ନୁହେଁ। ମା’ଙ୍କ ଦେହ ଭଲ ରହେ ନାହିଁ। ଏଣେ ତିନି ମାସ ତଳେ କାଠ କାମ କରିବାବେଳେ ଦୁର୍ଘଟଣାବଶତଃ ବାପାଙ୍କର ଗୋଡ କଟିଗଲା। ଫଳରେ ବାପା ବାହାରକୁ ଯାଇ ରୋଜଗାର କରି ଘର ଚଳାଇବା ସ୍ଥିତିରେ ରହିଲେ ନାହିଁ। ସେଥିପାଇଁ ମୁଁ ଘରୁ ଗୋଡ଼ କାଢ଼ି କିଛି ରୋଜଗାର କରିବି ଭାବିଲି। ଆଗରୁ ମୋର ଯେତେବେଳେ ଇଚ୍ଛା ହେଉଥିଲା ଘରେ ପ୍ରାୟତଃ ମୋମୋ, ମସରୁମ୍‌ ଷ୍ଟିକ୍‌, ପନିର ଷ୍ଟିକ୍‌ ତିଆରି କରୁଥିଲି; ଯାହା ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା। ତେଣୁ ଭାବିଲି ଏହାକୁ ନେଇ ବିଜନେସ୍‌ କରିବି। ବେଶି ଇନ୍‌ଭେଷ୍ଟମେଣ୍ଟ କରିବାକୁ ପଡିବନି। ତା’ସହ ଭଲ ରୋଜଗାର ବି ହୋଇପାରିବ। ତେଣୁ ଷ୍ଟିମର୍‌, ଗ୍ୟାସ ଚୁଲା, ପୋଷ୍ଟର, ଛତା ଭଳି କିଛି ଜିନିଷ କିଣି ଘର ପାଖରେ ଅର୍ଥାତ୍‌ ଶିରିପୁର ଛକ ଇଣ୍ଡିଆନ ବ୍ୟାଙ୍କ ନିକଟରେ ଷ୍ଟଲ ପକାଇ ମୋମୋ ସହିତ ପନିର ଷ୍ଟିକ ଓ ମସ୍‌ରୁମ୍‌ ଷ୍ଟିକ୍‌ ସହ ସୁଇଟ୍‌ ବେବି କର୍ନ, ମଟର ସୁପ୍‌ ବି ତିଆରି କରିବା ଆରମ୍ଭ କଲି। ଷ୍ଟଲ୍‌ର ନାମ ଦେଲି ‘ଓମ୍‌ ସାଈ ମହାରାଜ ମୋମୋସ୍‌ ଆଣ୍ଡ କ୍ରିସ୍ପି ହାଉସ୍‌’। ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରଖୁଛି। ଲୋକ ବି ମୋର ସବୁ ଆଇଟମ୍‌କୁ ବହୁତ ଭଲ ପାଉଛନ୍ତି। ଦିନକୁ ୩୦୦ଟଙ୍କାରୁ ଊର୍ଦ୍ଧ୍ୱ ଲାଭ ହୋଇଥାଏ। ମା’ଙ୍କ ଚିକିତ୍ସା, ଘରର ସବୁ ଖର୍ଚ୍ଚ, ସାନ ଭାଇର ପାଠପଢା ଖର୍ଚ୍ଚ ସବୁ ବହନ କରୁଛି। ସାନ ଭାଇ କିଭଳି ଇଞ୍ଜିନିୟର ହେବ ତାହା ମୋର ଲକ୍ଷ୍ୟ। ତେବେ ପ୍ରଥମେ ମୋମୋ ତିଆରି ପ୍ରୋସେସ୍‌ ନିଜେ କରୁଥିଲି। କିନ୍ତୁ ଘରର ଦାୟିତ୍ୱ ବଢ଼ିବା ପରେ ଏତେ ସଂଖ୍ୟକ ମୋମୋ ନିଜେ ତିଆରି କରିବା ସମ୍ଭବ ହେଲାନି। ତେଣୁ ଏବେ ଆଉ ଜଣଙ୍କଠୁ ମୋମୋ କିଣି ଆଣି ଖାଲି ଷ୍ଟିମ୍‌ କରି ଗ୍ରାହକଙ୍କୁ ଦେଉଛି। କିନ୍ତୁ ପନୀର ଷ୍ଟିକ୍‌, ମସରୁମ୍‌ ଷ୍ଟିକ୍‌, ମଟର ସୁପ, ବେବି କର୍ନ ଆଦି ନିଜେ ପ୍ରସ୍ତୁତି କରେ। ଆଗକୁ ଜଣେ ପିଲା ରଖିବାକୁ ଯୋଜନା ରଖିଛି, ଯିଏ କି ମତେ ସାହାଯ୍ୟ କରିବ। ତା’ସହ ହୋମ୍‌ ଡେଲିଭରି ବି କରିବି।

ଚାକିରି ନୁହେଁ ସ୍ବାବଲମ୍ବୀ ହେବା ସମସ୍ତଙ୍କ ଜୀବନର ଲକ୍ଷ୍ୟ ହେବା ଜରୁରୀ। କାମ ଯାହା ହେଉ ନା କାହିଁକି ତାକୁ ହୃଦୟର ସହ କରିପାରିଲେ ସଫଳତା ଯେ ନିଶ୍ଚୟ ମିଳିବ ଏହିକଥାକୁ ଏଇ ଉଚ୍ଚଶିକ୍ଷିତ ଯୁବତୀଯୁବକମାନେ ବେଶ୍‌ ପ୍ରମାଣିତ କରିଦେଇଛନ୍ତି।

-ଶିବାନୀ ମହାନ୍ତି
ନରେଶ ଚନ୍ଦ୍ର ପଟ୍ଟନାୟକ(କେନ୍ଦୁଝର)
ତଥ୍ୟ ସହାୟତା: ଅସମାପିକା ସାହୁ

Share