Advertisement

ଆହତ ଥିବା ସତ୍ତ୍ୱେ ‘ସିକନ୍ଦର’ର ଶୁଟିଂ ଜାରି ରଖିଛନ୍ତି ସଲ୍‌ମାନ

ମୁମ୍ବାଇ: କୌଣସି ପ୍ରକାରର ବାଧାବିଘ୍ନ ଆସିଲେ ମଧ୍ୟ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ ସର୍ବଦା ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି। ଏହାକୁ ସେ ପୁଣି ପ୍ରମାଣିତ କରି ଦେଖାଇଛନ୍ତି। ପିଞ୍ଜରା ହାଡ଼ରେ ଆଘାତ ଥିବା ସତ୍ତ୍ୱେ ମଧ୍ୟ ସଲ୍‌ମାନ ପୁଣିଥରେ ନିଜର ଆଗାମୀ ଫିଲ୍ମ ‘ସିକନ୍ଦର’ର ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂ ସେଟ୍‌ରୁ ସେ ଫିଲ୍ମ ନିର୍ମାତା ସାଜିଦ୍‌ ନାଡିଆଡ୍‌ଓ୍ବାଲାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି, ଯାହାକୁ ସଲ୍‌ମାନଙ୍କ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏବେ ‘ସିକନ୍ଦର’ର ଶୁଟିଂ ମୁମ୍ବାଇର ଧାରାବି ଏବଂ ମାଟୁଙ୍ଗା ଅଞ୍ଚଳରେ ଚାଲିଛି। ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ଏହି ଶୁଟିଂ ଜାରି ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାପରେ ଫିଲ୍ମର ପରବର୍ତ୍ତୀ ପର୍ଯ୍ୟାୟ ଶୁଟିଂ ପାଇଁ ‘ସିକନ୍ଦର’ର ଟିମ୍‌ ହାଇଦ୍ରାବାଦ ଗସ୍ତ କରିବେ। ଏ.ଆର. ମୁରୁଗାଦାସ୍‌ଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ-ଏଣ୍ଟରଟେନ୍‌ମେଣ୍ଟ ଫିଲ୍ମରେ ପ୍ରଥମ ଥର ପାଇଁ ସଲ୍‌ମାନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ। ନିକଟରେ ରଶ୍ମିକା ନିଜ ଏକ୍ସ’ ଆକାଉଣ୍ଟରେ ଲେଖିଥିଲେ, ‘ସିକନ୍ଦର’ର ଅଂଶବିଶେଷ ହୋଇ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share