ଅଭିଯୋଗ ସତ୍ତ୍ୱେ ଜବରଦଖଲ ଉଚ୍ଛେଦ ହେଉନି

ଲୋଇସିଂହା,୨୬।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ରୁଗୁଡିଖାଲରେ ସରକାରୀ ଜମି ଜବରଦଖଲ ବଢିବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ବୁଢୀପଦର ଗ୍ରାମବାସୀ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନକୁ ଲିଖିତ ଜଣାଇଥିଲେ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହାର ପ୍ରତିବାଦରେ ଅସନ୍ତା ୧୦ଅକ୍ଟୋବରରେ ରୁଗୁଡିଖାଲରେ ବଲାଙ୍ଗୀର-ବରଗଡ ୨୬ନଂ ଜାତୀୟ ରାଜପଥ ଅବରୋଧ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।
ଲୋଇସିଂହା ତହସିଲ ଅଧୀନ ବୁଢୀପଦର ମୌଜା ଖାତା ନଂ ୧୩ର ପ୍ଲଟ ନଂ ୧୦ରେ ୪ଏକର ୧୨ଡିସିମିଲ ସରକାରୀ ଜମି ରହିଛି। ଏଠାରେ ସପ୍ତାହର ଶୁକ୍ରବାର ସାପ୍ତାହିକ ବଜାର ବସିଥାଏ। ସେଠାରେ ରାମ ମନ୍ଦିର ଥିବାରୁ ପ୍ରତିବର୍ଷ ଫେବୃୟାରୀରେ ମାନସ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ା ଯାତ୍ରା ସମୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥରୁ ରାମ ମନ୍ଦିରକୁ ଯିବା ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ହେଲେ ଦୁଇଜଣ ବ୍ୟକ୍ତି କଂକ୍ରିଟ ରାସ୍ତାରେ ତାର ବାଡ ଦେଇ ମନ୍ଦିର ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ସପ୍ତାହିକ ବଜାର ଏବଂ ମନ୍ଦିରକୁ ଯିବା ଆସିବାରେ ଅସୁବିଧା ହେଉଛି। ଉକ୍ତ ଜମି ବିବାଦକୁ ନେଇ ୨୦୧୬ରେ ଅଞ୍ଚଳବାସୀ ଆରଡିସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ଜମି ମାପଚୁପ କରି ସୀମା ଚିହ୍ନଟ କରାଯାଇଥିଲା। ହେଲେ ବଳପୂର୍ବକ ଦୁଇଜଣ ବ୍ୟକ୍ତି ସରକାରୀ ଜମିକୁ ଅଧିକାର ପାଇଁ ଉଦ୍ୟମ ଚଲାଇଥିବା ଅଭିଯୋଗ ହୋଇଛି। ଏନେଇ ଲୋଇସିଂହା ଥାନାରେ ମାମଲା ବି ରୁଜୁ ହୋଇଛି। ଶନିବାର ବୁଢୀପଦର ଗ୍ରାମର ୱାର୍ଡସଭ୍ୟ ମୁକେଶ ବୁଦ୍ଧିଆଙ୍କ ଆବାହକତ୍ୱରେ ଗ୍ରାମରେ ଏକ ବୈଠକ ବସିଥିଲା। ପ୍ରଶାସନ ଜବରଦଖଲକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ବୈଠକରେ ଅଭିଯୋଗ ହୋଇଥିଲା। ପ୍ରଶାସନର ଦୋମୁହଁ ନୀତି ପ୍ରତିବାଦରେ ଦଶହରା ପୂଜା ପରେ ରାସ୍ତାରୋକୋ ପାଇଁ ଗ୍ରାମବାସୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।