ବିରୋଧ ସତ୍ତ୍ବେ ଏନଓସି ମିଳିଲା, ବିନା ଅନୁମତିରେ କଟିଲା ଗଛ

ସମ୍ବଲପୁର,୨୦ା୩(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ତହସିଲ କୁକୁଡାପାଲି ପଞ୍ଚାୟତ ଅଧୀନ କୁକୁଡାପାଲି ମୌଜାରେ ଏକ ଇଥାନଲ କମ୍ପାନୀ ହେବାକୁ ଯାଉଛି। ଏହାକୁ ନେଇ ବିରୋଧ ହେବା ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କମ୍ପାନୀ କାମ ଆରମ୍ଭ କରିଛି। ପୂର୍ବରୁ ବିରୋଧ ସତ୍ତ୍ୱେ କମ୍ପାନୀକୁ ଏନଓସି ମିଳିଥିବା ବେଳେ ଏବେ ବିନା ଅନୁମତିରେ ଜମିରେ ଥିବା ଗଛଗୁଡିକ କଟାଯିବା ନେଇ ଅଭିଯୋଗ ହେଉଛି। ପ୍ରସ୍ତାବିତ ପ୍ରାୟ ୩୦ ଏକର ଜମିରେ ଶତାଧିକ ଛୋଟ ବଡ ଗଛ ରହିଥିଲା ବୋଲି ଅଭିଯୋଗ ହେଉଛି। ଆହୁରି ଅଭିଯୋଗ ହୋଇଛି ଯେ, ରୟତି ଜମିରେ ଗଛ କାଟିବାକୁ ହେଲେ ମଧ୍ୟ ରାଜସ୍ବ ବିଭାଗ ଅନୁମତିର ଆବଶ୍ୟକ ରହିଛି। ତହସିଲ ଅଫିସରେ ଆବେଦନ କରିବା ପରେ ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ସର୍ଭେ କରି ରିପୋର୍ଟ ପ୍ରଦାନ କରିବେ। ଯଦି ଗଛ କାଟିବା ଆବଶ୍ୟକ ଥାଏ ତାହେଲେ ଅନୁମତି ମିଳିବା ପରେ ଜମି ମାଲିକ ଗଛ କାଟିଥାନ୍ତି। ହେଲେ ଉକ୍ତ କମ୍ପାନୀକୁ ଗଛ କାଟିବାକୁ ଅନୁମତି ଦିଆଯାଇ ନାହିଁ କିମ୍ବା ଏଥିପାଇଁ ଆବେଦନ କରାଯାଇନାହିଁ ବୋଲି ତହସିଲର ସୁପରଭାଇଜର ଯୋଗପାଲ ଏକ୍କା କହିଛନ୍ତି। ଅନ୍ୟପକ୍ଷରେ ପୂବର୍ର୍ରୁ ଏହି ବିବାଦୀୟ ଘଟଣା ଜିଲା ପ୍ରଶାସନ ପାଖରେ ପହଞ୍ଚି ଥିବା ବେଳେ ପଞ୍ଚାୟତରେ ମଧ୍ୟ ବିରୋଧ କରାଯାଇଥିଲା। ଅଭିଯୋଗ କ୍ରମେ ଏହି ଅଞ୍ଚଳବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି। ହୀରାକୁଦରୁ ଜଳସେଚନ ହେବା ଫଳରେ ବିଭିନ୍ନ ଫସଲ ହେଉଥିଲା। ଏହାଛଡା ପ୍ରସ୍ତାବିତ ଜମି ନିକଟରେ ମଧ୍ୟ ଏକ ନଦୀ ଓ ଗ୍ରାମ୍ୟ ଜଙ୍ଗଲ ରହିଛି । ଯଦି ଏଠାରେ ଇଥାନଲ କମ୍ପାନୀ ଖୋଲାଯାଏ ତାହେଲେ ଅଞ୍ଚଳର ଚାଷ, ଗ୍ରାମ୍ୟ ଜଙ୍ଗଲ , ନଦୀ ପ୍ରଭାବିତ ହେବ । ବାୟୁ ଓ ଶବ୍ଦ ପ୍ରଦୂଷଣ ହେବ। ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରେ ଦ୍ରୁତ ଶିଳ୍ପାୟନର କୁପ୍ରଭାବ ପୂର୍ବରୁ ଦେଖିବାକୁ ମିଳିଛି। ଉକ୍ତ ଜମିରେ ଚାଷ ହୋଇ ପାରିଲା ନାହିଁ। ସ୍ଥାନୀୟ ନିଯୁକ୍ତି ନାମରେ ଲୋକଙ୍କୁ ଠକି ଦିଆଯାଇଛି। ତେଣୁ ଗ୍ରାମସଭା କରାଯାଇ ଉକ୍ତ କମ୍ପାନୀ ହେଲେ ସବୁଜ ସୁନ୍ଦର ଅଞ୍ଚଳ ନଷ୍ଟ ହୋଇଯିବ। ପ୍ରଦୂଷଣ ହେବ ଦର୍ଶାଇ ରାଜ୍ୟ ସରକାରଙ୍କୁ ଚିଠି ଦିଆଯାଇଥିଲା। ଏଭଳି ପରିସ୍ଥିତରେ ପ୍ରଶାସନ ଅନୁମତି ନ ଦେବାକୁ ଦାବି ହୋଇଥିଲା। ସଭାରେ ଚାଷୀ,ମହିଳା ଓ ନେତାମାନେ ଉପସ୍ଥିତ ରହି ଅନୁମତି ଦେବା ବିରୋଧରେ ପ୍ରସ୍ତାବ ଦେଇଥିଲେ। ହେଲେ କମ୍ପାନୀ ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କର ବୋଲି ଅନୁମତି ପ୍ରଦାନ କରାଯାଇଥିବାର ଅଭିଯୋଗ ହେଉଛି।

Share