କୋଭିଡ କଟକଣା ସତ୍ତ୍ୱେ ବିଶ୍ୱେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ

ସରଣ୍ଡା,୧୧।୩(ଡି.ଏନ.ଏ.):ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବପୀଠରେ କୋଭିଡ କଟକଣା ସତ୍ତ୍ୱେ ଭକ୍ତଙ୍କ ସମାଗମ ହୋଇଛି। ଅଭିଭକ୍ତ ସମ୍ବଲପୁର ଜିଲାର ହୁମାର ବକ୍ର ମନ୍ଦିର ନିର୍ମାଣ ପରେ ପରେ ୧୬୯୫ରୁ ୧୭୬୬ ଖ୍ରୀ:ଅ: ମଧ୍ୟରେ ତତ୍କାଳୀନ ସମ୍ବଲପୁର ରାଜା ଶ୍ରୀ ବଳିୟାର ସିଂହଙ୍କ ଦେୱଆନ ଶ୍ରୀ ଦକ୍ଷିଣ ରାୟ ଏହି ମନ୍ଦିରଟିକୁ ନିର୍ମାଣ କରିଥିବା ଶିବ ପ୍ରସାଦ ଦାଶଙ୍କ ସମ୍ବଲପୁର ଇତିହାସର ୨୭୨ପୃଷ୍ଠାରେ ଉଲ୍ଲେଖ ରହିଛି। ସେବେ ଠାରୁ ଏହି ମନ୍ଦିରରେ ବାର ମାସକୁ ତେର ଯାତ୍ରା ପାଳିତ ହୋଇଆସୁଛି । ସେଥି ମଧ୍ୟରୁ ମହାଶିବରାତ୍ରି ତଥା ଜାଗର ଯାତ୍ରା ମୁଖ୍ୟ। ଆଜି ପାହାନ୍ତିଆ ୩ଟାରୁ ମନ୍ଦିରର ମୁଖ୍ୟଦ୍ୱାର ଖୋଲାଯାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଜୟୋଜିତ ପୂଜକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। କୋଭିଡ କଟକଣାକୁ ଆଖିରେ ରଖି ଭକ୍ତମାନଙ୍କୁ ମୁଖ୍ୟ ଗମ୍ଭୀରାକୁ ନ ଛାଡି ମନ୍ଦିରର ମୁଖଶାଳାରୁ ଦର୍ଶନ କରାଯାଉଛି। ଆଜି ଅପରାହ୍ନ ୩ଟାରେ ମନ୍ଦିରରୁ ବାବା ଚନ୍ଦ୍ରଶେଖର ମହାଦେବଙ୍କୁ ଡୁଙ୍ଗୁରିପାଳି ରେମଣ୍ଡାର ଭୈରେ ଘଣ୍ଟଶଙ୍ଖ ବାଦ୍ୟ ଦଳ ସହ ସରଣ୍ଡା ଗ୍ରାମ୍ୟ ପରିକ୍ରମା କରାଯିବ । ସେଠାରୁ ଫେରିବା ପରେ କମିଟି ପକ୍ଷରୁ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ କରି ସନ୍ଧ୍ୟା ୬ଟା ବେଳେ ପ୍ରଥମ ଆଳତି ଅର୍ପଣ କରାଯିବ। ପ୍ରତି ତିନି ଘଣ୍ଟାରେ ୧୦୮ଆଳତି ଅର୍ପଣ ପରେ ପାହାନ୍ତିଆ ୩ଟା ୩୦ମିନିଟରେ ମହାଦୀପ ମନ୍ଦିରକୁ ଚଢ଼ାଯିବ।

Share