ପଟ୍ଟାମୁଣ୍ଡାଇ,୧୯।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ବ୍ରାହ୍ମଣୀ ନଦୀର ଶାଖା ନଦୀ ସହ ଗୋବରୀ ନଦୀର ସଂଯୋଗ ଥିଲା। ଏଥିରେ ନୌବାଣିଜ୍ୟ ସହ ଚାଷ ପାଇଁ ପାଣି ମିଳୁଥିଲା। ୧୮୬୮ମସିହାରେ କଟକ-ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ ପଟ୍ଟାମୁଣ୍ଡାଇଠାରେ ଏହାର ସଂଯୋଗୀକରଣ ପଥକୁ ବନ୍ଦ କରି ଦିଆଗଲା। ଫଳରେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨୦ କି.ମି. ବ୍ୟାପୀ ନଦୀପଥ କ୍ରମଶଃ ପୋତି ହୋଇପଡୁଛି। ଏହି ନଦୀର ପୁନଃ ସଂଯୋଗ ପାଇଁ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ବ୍ଲକର ଅଧିବାସୀ ବାରମ୍ବାର ଦାବି କରି ଆସୁଛନ୍ତି।
ଜନସାଧାରଣଙ୍କ ଦାବି ଫଳରେ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀ ପୁନଃ ସଂଯୋଗ ପାଇଁ ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବରୀ ନଦୀକୁ ଖନନ ପାଇଁ ଶିଳାନ୍ୟାସ କରିଥିଲେ। ୨୦ କିଲୋମିଟର ବ୍ୟାପୀ ଗୋବରୀର ପୁନଃ ସଂଯୋଗ ପାଇଁ ଟେଣ୍ଡରରେ ଠିକା ପାଇଥିବା ଠିକାଦାର ଅଧାରୁ କାମ ଛାଡି ଚାଲି ଯାଇଥିଲେ। ଏଥିରେ ୩ କୋଟି ଟଙ୍କା ବିଲ ହୋଇଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ କେନ୍ଦ୍ରାପଡା ଡ୍ରେନେଜକଟ ନିହାର ରଞ୍ଜନ ରାଉତରାୟ କହିଛନ୍ତି। ଖନନ କାର୍ଯ୍ୟ ଅଧାରୁ ବନ୍ଦ ହୋଇଥିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଣି ୨୦ କିମି ବ୍ୟାପୀ ଗୋବରୀ ନଦୀର ଖନନ ପାଇଁ ରାଜ୍ୟ ସରକାର ଓ ଡ୍ରେନେଜ କଟ ପକ୍ଷରୁ ୭ କୋଟି ୫୫ ଲକ୍ଷ ବ୍ୟୟ ଅଟକଳରେ ଓଡ଼ିଶା କନଷ୍ଟ୍ରକଶନ କମ୍ପାନୀ (ଓସିସି) କାର୍ଯ୍ୟ ଆରମ୍ଭ କରିଥିଲା। ମାତ୍ର ଓସିସି ଗଣ୍ଡାକିଆ ପାଖରୁ ୬ କିମି ଖନନ କରି ୨ ବର୍ଷ ହେବ କାମ ବନ୍ଦ କରି ଦେଇଛି। ଫଳରେ ନଦୀ ମଧ୍ୟରେ ଦଳ ଭର୍ତ୍ତି ହେବା ସହ ମାଟି ଖସି ପୋତି ହେବାରେ ଲାଗିଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଡ୍ରନେଜ କଟ କେନ୍ଦ୍ରାପଡ଼ା ନିର୍ବାହୀ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରେ ପୋତା ଗୋବରୀ ନଦୀକୁ ଖନନ ପାଇଁ ଓସିସି ସହ ଯୋଗା ଯୋଗ କରାଯାଇଛି। ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ତେବେ ଗୋବରୀ ଖନନ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି। ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀର ସଂଯୋଗ ହେଲେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ଉଭୟପାଶର୍ବର ଶତାଧିକ ଗଁାର ଅଧିବାସୀ ଉପକୃତ ହୋଇ ପାରିବେ। ଏହାକୁ ନଜରକୁ ନେଇ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲ୍ଭି ପ୍ରଫୁଲ୍ଲ କୁମାର ଦାଶ, କ୍ଷୀରୋଦ ମଲିକ, ଅଶୋକ କୁମାର ବଳ ଓ ଦେବାଶିଷ ପଣ୍ଡା ପ୍ରମୁଖ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ବିଚାର କରି କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ବିଚାରପତି ମଳୟ କୁମାର ପ୍ରଧାନ କେସ୍ ନଂ. ୧୦/୨୦୨୧ ମାମଲା ଶୁଣାଣି କରି ଭିତ୍ତିଭୂମିର ତଦନ୍ତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଦ୍ୟାବଧି କୌଣସି ତପତ୍ରତା ପ୍ରକାଶ ପାଇନାହିଁ ବୋଲି ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲିକ ପ୍ରମୁଖ କହିଛନ୍ତି। ନଦୀ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ବିତ ହେଲେ ନଦୀପଥ ନିକଟ କୃଷି କ୍ଷେତରେ ୩ ପ୍ରକାର ଅର୍ଥକରୀ ଫସଲ ଉପତ୍ାଦନ ହୋଇପାରିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।