ଅବଧି ଶେଷ ସତ୍ତ୍ୱେ କାମ ସରୁନାହିଁ

ପାରାଦୀପ,୮।୮(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପର ବେଳାଭୂମି ରାସ୍ତା ପାଖରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଷ୍ଟାଡିୟମ ନିର୍ମାଣ ହେଉଛି। ଏଥିରେ ଜିଲାର ସମସ୍ତ ଛାତ୍ରୀଛାତ୍ର ବିଭିନ୍ନ କ୍ରୀଡ଼ାରେ ଭାଗ ନେଇପାରିବେ। ପ୍ରାୟ ୭ ଏକର ଜାଗାରେ ଏହା ନିର୍ମାଣ ହେଉଛି। ୨୦୨୧ରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ୩୧ ସୁଦ୍ଧା ଶେଷ ହେବ ବୋଲି ଫଳକରେ ଦର୍ଶାଯାଇଛି। କିନ୍ତୁ ଧାର୍ଯ୍ୟ ସମୟ ଶେଷ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟ ସରିନାହିଁ। କେବେ ପୂର୍ଣ୍ଣାଙ୍ଗ ହେବ ତାହା ମଧ୍ୟ ଅସ୍ପଷ୍ଟ ରହିଛି। ଅପରପକ୍ଷେ ଏହି ଷ୍ଟାଡିୟମ ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି ବୋଲି ଆର ଆଣ୍ଡ ବି(ରାସ୍ତା ଓ କୋଠାବାଡି)ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପ୍ଟେମ୍ବର ୯ରେ ଜନସୂଚନା ତଥ୍ୟ(ଚିଠି ନଂ ୩୩୬୩)ରେ ଦର୍ଶାଯାଇଛି, ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରକଳ୍ପ ପାଇଁ ସମୁଦାୟ ୭ କୋଟି ୧୨ଲକ୍ଷ ୮ହଜାର ୩୮୮ ଟଙ୍କା ଖର୍ଚ୍ଚ ହେବ। ଏବେ ଇଣ୍ଡୋର ଷ୍ଟାଡିୟମ ସମ୍ମୁଖରେ ସରକାରଙ୍କ ପକ୍ଷରୁ ଲାଗିଥିବା ହୋର୍ଡିଂରେ ଲେଖାଯାଇଛି ପ୍ରକଳ୍ପର ଆକଳିତ ମୂଲ୍ୟ ୧୦.୩୭ କୋଟି ଟଙ୍କା। ଅର୍ଥାତ ବର୍ଷକ ମଧ୍ୟରେ ୩ କୋଟିରୁ ଅଧିକ ଟଙ୍କା ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇସାରିଲାଣି। ଏ ସମ୍ପର୍କରେ ଆର ଆଣ୍ଡ ବି ବିଭାଗର ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିବାରେ, ୨୦୨୨ ସେପ୍ଟେମ୍ବର ସୁଦ୍ଧା ଯେଉଁ ପରିମାଣର ତଥ୍ୟ ଦିଆଯାଇଥିଲା। ସେଥିରେ ଜିଏସ୍‌ଟି ସାମିଲ ହୋଇ ନ ଥିଲା। ଏବେ ହୋର୍ଡିଂରେ ଯେଉଁ ତଥ୍ୟ ଦର୍ଶାଯାଇଛି, ସେଥିରେ ଜିଏସ୍‌ଟି ମିଶିକି ରହିଛି। ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ ନ ହେବା ସମ୍ପର୍କରେ କହିଥିଲେ କାମ ବିଳମ୍ବ ହୋଇଛି। କେବେ ସରିବ ତାହା କହିହେବ ନାହିଁ। ଅପରପକ୍ଷେ କାମ ଶେଷ ନ ହେବା ପୂର୍ବରୁ ହୋର୍ଡିଂ ଲାଗି ସାରିଲାଣି।