Categories: ଜାତୀୟ

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି। କୃଷି ଉତ୍ପାଦନ ବ୍ୟବସାୟ ବିଧେୟକ-୨୦୨୦ ଏବଂ ମୂଲ୍ୟ ଅଶ୍ୱାସନ କୃଷି ସେବା ବିଧେୟକ-୨୦୨୦କୁ ରାଜ୍ୟ ସଭାରେ ମଞ୍ଜୁର କରାଯାଇଛି। ରାଜ୍ୟ ସଭାର କାର୍ଯ୍ୟକାଳ ଅପରାହ୍ନ ୧ଟା ଶେଷ ହୋଇଥାନ୍ତା। ତେବେ କୃଷି ବିଧେୟକର ଅନୁମୋଦନ ପାଇଁ ସମୟ ସୀମାକୁ ବଢ଼ାଯାଇଥିଲା। ବିରୋଧୀ ଦଳ ସଦସ୍ୟ ବିଧେୟକକୁ ବିରୋଧ କରି ରୁଲକ ବୁକ୍‌ ଚିରିବା ସହିତ ମାଇକ୍‌ ଭାଙ୍ଗି ଦେଇଥିଲେ। ଧ୍ୱନି ମତରେ ବିଧେୟକଗୁଡ଼ିକୁ ଅନୁମୋଦିତ କରାଯାଇଥିଲା। ଏହାପରେ ଗୃହର କାର୍ଯ୍ୟକାଳକୁ ସୋମବାର ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ବିଧେୟକକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, ଏହି ବିଲ୍‌ କୃଷକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ। ଦେଶର ଯେକୌଣସି ସ୍ଥାନରେ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବାର ସ୍ବାଧୀନତା କୃଷକମାନେ ପାଇପାରିବେ। ଏହା ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କୌଣସି ସମ୍ପର୍କ ରଖେ ନାହିଁ ବୋଲି ତୋମାର କହିଛନ୍ତି। ଏହାକୁ ବିରୋଧ କରି ସିପିଆଇଏମ୍‌ର ଏମ୍‌ପି କେ.କେ. ରାଗେଶ କହିଲେ ଯେ, ସରକାର ଏହ ମାଧ୍ୟମରେ କର୍ପୋରେଟ କ୍ଷେତ୍ରଗୁଡ଼ିକ ପାଇଁ ପ୍ୟାକେଜ ଆଣିଛନ୍ତି। ତେବେ ଏହାଦ୍ୱାରା କୃଷକଙ୍କ କ୍ଷତି ହେବ। କଂଗ୍ରେସ ଏମ୍‌ପି ପ୍ରତାପ ସିଂ ବାଜଓ୍ବା କହିଲେ ଯେ, ଏହି ବିଲ୍‌ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ କରିବ। ଏହା ସହମତି ମୃତ୍ୟ ପରଓ୍ବାନରେ ଦସ୍ତଖତ କରିବା ଭଳି। ବିଲ୍‌କୁ ନେଇ ଭାଜପା ଏମ୍‌ପି ଭୂପେନ୍ଦ୍ର ଯାଦବ କଂଗ୍ରେସକୁ ବିରୋଧ କରି କହିଥିଲେ ଯେ, ଗତ ୬୦ ବର୍ଷ ମଧ୍ୟରେ ଦେଶର କୃଷକଙ୍କ ପାଇଁ କଂଗ୍ରେସ କିଛି ବି କରି ନାହିଁ। କୃଷକ କଂଗ୍ରେସ ପାଇଁ କେବଳ ଭୋଟ ବ୍ୟାଙ୍କ ସାଜିଛନ୍ତି। ଏବେ ଭାଜପା ସରକାରକୁ କଂଗ୍ରେସ କେବଳ ବିରୋଧ କରିବା ଜାରି ରଖିଛି। ଏନେଇ ତୃଣମୂଳ କଂଗ୍ରେସ ଏମ୍‌ପି ଡେରେକ୍‌ ଓ ବାୟନ କହିଲେ ଯେ, ଭାଜପା ସରକାର କେବଳ ପ୍ରତିଶ୍ରୁତି ଦେଇଜାଣେ ମାତ୍ର ଏହାକୁ ପୂରଣ କରି ପାରେନା। ସୂଚନାଯୋଗ୍ୟ, ଏହି ୨ଟି କୃଷି ବିଧେୟକକୁ ପୂର୍ବରୁ ଲୋକ ସଭାରେ ମଞ୍ଜୁରୀ ମିଳି ସାରିଛି। ଏବେ ଏହାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ।

Share