Categories: ଜାତୀୟ

ବିରୋଧ ସତ୍ତ୍ୱେ ଲାଗୁହେଲା ସିଏଏ

ନୂଆଦିଲ୍ଲୀ,୧୨ା୩: ୨୦୨୪ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ) ନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନକୁ ସାର୍ବଜନୀନ କରାଯିବା ସହ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ୨୦୧୯ ଡିସେମ୍ବର ୧୧ରେ ଏହି ବିଲ୍‌୍‌୍‌ ପାର୍ଲାମେଣ୍ଟରେ ପାସ୍‌ ହୋଇଥିଲା। ପଡ଼ୋଶୀ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରେ ଧାର୍ମିକ ନିର୍ଯାତନା ଯୋଗୁ ବିତାଡ଼ିତ ହୋଇ ଭାରତରେ ଶରଣ ନେଇଥିବା ସଂଖ୍ୟାଲଘୁ ମାନଙ୍କୁ ଭାରତୀୟ ନାଗରିକତା ଯୋଗାଇବ ଏହି ଆଇନ୍‌। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଏହି ୩ ପଡ଼ୋଶୀ ଦେଶରୁ ଭାରତରେ ଶରଣ ନେଇଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ୍‌, ପାର୍ସି ଓ ଖ୍ରୀଷ୍ଟିଆନମାନେ ଏହି ଆଇନ୍‌ ଦ୍ୱାରା ନାଗରିକତା ପାଇପାରିବେ। ଡିସେମ୍ବର ୧୦, ୨୦୧୯ରେ ଲୋକ ସଭାରେ ଏହି ବିଲ୍‌ ପାସ୍‌ ହୋଇଥିଲା। ବିଲ୍‌ ସପକ୍ଷରେ ୩୧୧ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୮୦ଟି ଭୋଟ ପଡ଼ିଥିଲା। ସେହିପରି ଡିସେମ୍ବର ୧୧, ୨୦୧୯ରେ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହୋଇଥିଲା। ବିଲ୍‌ ସପକ୍ଷରେ୧୨୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା। ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଡିସେମ୍ବର ୧୨, ୨୦୧୯ରେ ଏହି ବିଲ୍‌ ଆଇନରେ ପରିଣତ ହୋଇଥିଲା। ତେବେ ଏହି ଆଇନରେ ମୁସଲୀମ୍‌ ଧର୍ମକୁ ବାଦ ଦିଆଯାଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ବିଭିନ୍ନ ବିରୋଧୀ ଦଳ ଓ ସଂଗଠନ ତରଫରୁ ପୂର୍ବରୁ ମାସ ମାସ ଧରି ପ୍ରତିବାଦ କରାଯାଇଥିଲା। ଏହି ଆନ୍ଦୋଳନରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଭାରତକୁ ଧର୍ମୀୟ ଆଧାରରେ ବିଭାଜିତ କରି ଅର୍ଥନୈତିକ ମନ୍ଥରତା ଓ ବେକାରୀ ସମସ୍ୟାରୁ ବିଭ୍ରାନ୍ତ କରିବାକୁ କେନ୍ଦ୍ର ସରକାର ଏହି ବିଲ ଆଣିଥିବା ଅଭିଯୋଗ କରି ବିଭିନ୍ନ ବିରୋଧୀ ଦଳ ଓ ସଂଗଠନ ପକ୍ଷରୁ ସିଏଏ ବିରୋଧୀ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା। ଦେଶବ୍ୟାପୀ ପ୍ରବଳ ବିରୋଧ ଯୋଗୁ କେନ୍ଦ୍ର ସରକାର ଏହି ଆଇନ୍‌କୁ ଦୀର୍ଘ ୪ ବର୍ଷ ଧରି ସ୍ଥଗିତ କରିଥିଲେ।

Share