ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଏସବୁ ଜିଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। କେତେକ ଜିଲାର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ହୋଇପାରେ। ଏହା ସତ୍ତ୍ୱେ କେତେକ ଜିଲାରେ ଅଦିନିଆ ବର୍ଷା କିଛିଟା ଆଶ୍ୱସ୍ତି ଆଣିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚଆର୍‌ ବିଶ୍ୱାସଙ୍କ ସୂଚନା ଅନୁସାରେ ୩ ତାରିଖରୁ ୪ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଠିକ୍‌ ସେହିପରି ୪ ତାରିଖରୁ ୫ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, କନ୍ଧମାଳ, ଗଜପତି, ରାୟଗଡ଼ା ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସମାନ ସ୍ଥିତି ଦେଖାଯାଇ ପାରେ। ତେବେ ବାକି ଜିଲାଗଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।

Share