ଅନୁକମ୍ପା ଆଶାରେ ଅଭାବୀ ପରିବାର

ଭଣ୍ଡାରିପୋଖରୀ, ୧୪।୧୨(ସ୍ବ.ପ୍ର.): ସବୁ ଠିକ୍‌ଠାକ୍‌ ଚାଲିଥିଲା। ଗୋଟିଏ ଦୁର୍ଘଟଣା ଭାଙ୍ଗିଦେଲା ପରିବାରର ସ୍ବପ୍ନ। ଏବେ ୬ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଦୁଇଓଳି ଭାତ ସାତସପନ ପାଲଟିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନିର୍ଗୁଣ୍ଡି ପଞ୍ଚାୟତ ଧାମନଗର ଛକଠାରେ ବସବାସ କରୁଥିବା ଲକ୍ଷ୍ମଣ ମୁର୍ମୁଙ୍କ ପରିବାର ଉପରେ ଦୁଃଖର କଳା ବାଦଲ ଛାଇଯାଇଛି।
ପରିବାର କହିଲେ ପୁଅ ମାନସିଂଙ୍କ ସହ ବୋହୂ ବାସନ୍ତୀ ଓ ନାତିନାତୁଣୀ ଚାରିଜଣଙ୍କୁ ନେଇ ଅଭାବୀ ସଂସାର ହସଖୁସିରେ ଚାଲିଥିଲା। ୮ ମାସ ପୂର୍ବରୁ ମାନସିକ ବିକୃତି ଯୋଗୁ ବୋହୂ କେଉଁଆଡ଼େ ଚାଲିଯାଇଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅ ମାନସିଂ ବୁଢ଼ା ବାପା ଲକ୍ଷ୍ମଣଙ୍କ ସହ ଚାରି ଛୁଆଙ୍କୁ ନେଇ ଯଥେକଷ୍ଟେ ସଂସାର ଚଳାଉଥିଲେ। ହେଲେ ତିନିମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ମାନସିଂ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ଯୋଗୁ ମାନସିଂ କଟକ ଡାକ୍ତରଖାନାରୁ ଜୀବନ ପାଇ ଫେରି ଆସିଥିଲେ ସୁଦ୍ଧା ଏବେ ସେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛନ୍ତି। ତାଙ୍କର ମେରୁଦଣ୍ଡ ହାଡ଼ ସହ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ସେ ଏବେ ସେ ଶଯ୍ୟାଶାୟୀ ହୋଇଯାଇଛନ୍ତି। ତାଙ୍କ ବଡ଼ଝିଅ ଯମୁନା ଚଳିତବର୍ଷ ମାଟ୍ରିକ ପାସ୍‌ କରିଥିଲେ ସୁଦ୍ଧା ଇଚ୍ଛା ଥାଇ ମଧ୍ୟ ବାପାଙ୍କ ଏଭଳି ଅବସ୍ଥା ଦେଖି ଆଉ ପାଠ ପଢ଼ିପାରୁ ନାହାନ୍ତି। ଅନ୍ୟ ତିନି ଭାଇଭଉଣୀ ସ୍କୁଲରେ ପଢୁଥିଲେ ହେଁ ଆର୍ଥିକ ଅନଟନ ଶିକ୍ଷାରେ ବାଧକ ସାଜିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେମାନେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି। ସରକାରୀ ସହାୟତା କହିଲେ କେବଳ ୩୫ କେଜି ଚାଉଳ। ସରକାର ବିଭିନ୍ନ କ୍ଷେତ୍ରରେ ଆଦିବାସୀମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ହୋଇଛନ୍ତି। ଦୁର୍ଘଟଣା ପରେ ନା ମାନସିଂଙ୍କୁ ମିଳିଛି ସରକାରୀ ସହାୟତା ନା ଶିକ୍ଷା କ୍ଷେତ୍ରରେ ତାଙ୍କ ପିଲାମାନଙ୍କୁ ଗରିବ ପ୍ରୋତ୍ସାହନ ରାଶି। ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ମାନସିଂଙ୍କ ଚିକିତ୍ସା ସହ ତାଙ୍କ ପିଲାମାନେ ସୁବିଧାରେ ପାଠ ପଢ଼ିପାରନ୍ତେ ବୋଲି ଲକ୍ଷ୍ମଣ ଆଶାବ୍ୟକ୍ତ କରିଛନ୍ତି। ବ୍ଲକ, ଜିଲା ପ୍ରଶାସନ ଏବଂ ଲୋକପ୍ରତିନିଧି ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ନିର୍ଗୁଣ୍ଡି ସରପଞ୍ଚ ସତ୍ୟବ୍ରତ ପାଲ କହିଛନ୍ତି, ତିନିମାସ ତଳେ ଦୁର୍ଘଟଣାରେ ଗୁରୁତର ହୋଇ ମାନସିଂ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତିନିଦିନ ହେଲା ଘରକୁ ଫେରିଛନ୍ତି। ତେବେ ଅନ୍‌ଲାଇନରେ ତାଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ଆବେଦନ କରାଯାଇ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ।