ତଣ୍ଡା ଅଞ୍ଚଳ ତଟକ୍ଷୟ ବଢ଼ିଚାଲିଛି

କେନ୍ଦ୍ରାପଡ଼ା,୧୦ା୬(ଜଗନ୍ନାଥ ଧଳ): ସାବିତ୍ରୀ ଅମାବାସ୍ୟାରେ ସମୁଦ୍ର କୂଳ ଲଘିଂ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଣ୍ଡା ଅଞ୍ଚଳକୁ ପାଣି ପଶିଥିଲା। ତଟକ୍ଷୟର ଏହି ପରିସ୍ଥିତି ତଟାଞ୍ଚଳବାସୀଙ୍କ ମନରେ ଭୟ ଆଣିଛି। ଜିଲାରେ ବଙ୍ଗୋପସାଗରର ୪୮ କିଲୋମିଟର ଲମ୍ବର ତଟରୁ ପ୍ରାୟ ୨୮ କିଲୋମିଟର ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସାତଭାୟାଠାରେ ଗତ ବର୍ଷକ ମଧ୍ୟରେ ପ୍ରାୟ ୪୦ ମିଟର ତଟକ୍ଷୟ ହୋଇଛି। ରାଜନଗର ବ୍ଲକ ସାତଭାୟାର ପୁରୁଣା ପଞ୍ଚୁବରାହୀ ମନ୍ଦିର ଓ ବରାହୀପୁର ଏହି ବର୍ଷାଋତୁ ମଧ୍ୟରେ ଇତିହାସ ପାଲଟିବାକୁ ଯାଉଥିବା ବେଳେ ସମୁଦ୍ରର ଆଖି ନିକଟସ୍ଥ ସୁନେଇ ରୂପେଇ ଜଙ୍ଗଲ ଉପରେ ପଡିଛି। ଏହାର ନିରାକରଣ ପାଇଁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି।
ବଗପାଟିଆକୁ ସ୍ଥାନାନ୍ତର ଓ ବରାହୀପୁରର ମୂଳ ନିବାସୀ ସୁଦର୍ଶନ ସ୍ବାଇଁ କହିଛନ୍ତି, ସାତଭାୟା ପଞ୍ଚାୟତ ୭ ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହି ରାଜସ୍ବ ଗ୍ରାମଗୁଡିକ ୫ ଦଶନ୍ଧି ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବେଳେ ଏବେ ମଗରକନ୍ଦା, ଅଢ଼ସଲ ପ୍ରଭୃତି ପଡା ଗ୍ରାମ କିଛି ମାତ୍ରାରେ ଅଛି। ସମୁଦ୍ରର ଦ୍ରୁତ ତଟକ୍ଷୟ ସ୍ଥାନୀୟ ଅଞ୍ଚଳରୁ ସ୍ଥାନାନ୍ତର ହେବା ପାଇଁ ବାଧ୍ୟ କରିଛି। ଏ ନେଇ ୪ ଦଶନ୍ଧିର ସଂଘର୍ଷ ପରେ ଗତ ୪ ବର୍ଷ ପୂର୍ବେ ଏହି ଅଞ୍ଚଳର ୫୭୧ ପରିବାରଙ୍କୁ ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ଜୁଆର ମାଡ ଏଠାରେ ପ୍ରବଳ ହେଉଥିବାରୁ ସୁନେଇ ରୂପେଇ ଜଙ୍ଗଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାର ଦୀର୍ଘକାଳୀନ ନିରାକରଣ ନ ହେଲେ ଉପାନ୍ତ ଅଞ୍ଚଳବାସୀ ବିପଦରେ ପଡିବେ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ତଟକ୍ଷୟକୁ ରୋକିବା ପାଇଁ ସାତଭାୟାର ଅବଶିଷ୍ଟ ଚାଷ ଜମିକୁ ହେନ୍ତାଳବଣରେ ପରିଣତ କରିବା ଆବଶ୍ୟକ। ପେଣ୍ଠଠାରେ ଜିଓ ସିନ୍ଥେଟିକ ଟ୍ୟୁବ୍‌ ୱାଲ୍‌ ନିର୍ମାଣ ହୋଇଛି। ଏହି ଜିଓ ଟ୍ୟୁବ୍‌ ୱାଲ୍‌ ସମୁଦ୍ର ଜୁଆର ମାଡକୁ ସହିପାରୁନାହିଁ। ଏଠାରେ ଥିବା ଗାବିଅନ ବକ୍ସକୁ ଛିଡାଇ ପଥରଗୁଡିକୁ ସମୁଦ୍ର ନିଜ ଗର୍ଭକୁ ନେଇଯାଉଛି। ଏପରି କି ଏହାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ପଥରବନ୍ଧ ମଧ୍ୟ ଏଥିରୁ ବାଦ୍‌ ପଡୁନାହିଁ। ପରିବେଶ ଓ ପାଣିପାଗ ପରିବର୍ତ୍ତନ ସହ ବିଶ୍ୱତାପନ ଫଳରେ ସମୁଦ୍ରର ଜଳପତନ ବୃଦ୍ଧି ପାଉଛି। ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥିରେ ଆସୁଥିବା ଜୁଆର ଲୁଣାବନ୍ଧକୁ ଡେଇଁ ଯାଉଛି। ସୁରକ୍ଷା ପ୍ରାଚୀର ଭାବେ ହେନ୍ତାଳବଣ ବୃଦ୍ଧିର ଆବଶ୍ୟକତା ଅଛି। ତେବେ ଏହି ଆର୍ଦ୍ରଭୂମିରେ ହେନ୍ତାଳବଣ ବୃଦ୍ଧି ପାଇଁ ଯଥେଷ୍ଟ ପରିମାଣର ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଆର୍ଦ୍ରଭୂମି ପାଇଁ ଅନୂ୍ୟନ ୪୦ ପ୍ରତିଶତ ମଧୁର ଜଳ ଆବଶ୍ୟକତା ଥିବା ବେଳେ ଖରାଦିନେ ମାତ୍ର ୧୫ ପ୍ରତିଶତ ପହଞ୍ଚତ୍ ପାରୁଛି। ରାଜନଗରର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ କହିଛନ୍ତି, ଅଗରନାସୀ ଦ୍ୱୀପ ପୂର୍ବରୁ ୭ କିଲୋମିଟର ଲମ୍ବ ଥିଲା। ଏହା ତଣ୍ଡା ଅଞ୍ଚଳର ଜୁଆରମାଡ ପାଇଁ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଥିଲା। ମାତ୍ର ୨୦୨୨ ମସିହାରୁ ଅଗରନାସୀ ଦ୍ୱୀପ ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭକୁ ଚାଲିଯାଇଛି। ଏହା ପରଠାରୁ ତଣ୍ଡା ସହ ସ୍ଥାନୀୟ ସୁନିତି, ବାବର ଆଦି ପଞ୍ଚାୟତ ଅସୁରକ୍ଷିତ ହୋଇଯାଇଛି। ପୂର୍ଣ୍ଣିମା, ଅମାବାସ୍ୟା, ସାମୁଦ୍ରିକ ଝଡ଼ ସମୟରେ ଜୁଆର ପାଣି କୂଳ ଲଙ୍ଘୁଛି। ଧନଜୀବନ ସୁରକ୍ଷା ଆଶଙ୍କାରେ ଜୀବନ ଏଠାରେ ବିତୁଛି। ଏ ସମ୍ପର୍କରେ ରେଞ୍ଜର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଛି। ସାତଭାୟା, ପେଣ୍ଠ ଆଦି ଅଞ୍ଚଳରେ ବହୁ ପରିମାଣରେ ଚାରା ଲାଗିଛି। ତଟକ୍ଷୟ ସମ୍ପର୍କରେ ବିଶ୍ଳେଷକଙ୍କୁ ଅବଗତ କରାଇ ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।