ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ ଘର ଭାଙ୍ଗି ଧାନ, ଚାଉଳ, ମାଣ୍ଡିଆ, କାନ୍ଦୁଲ ଖାଇ ନଷ୍ଟ କରିବା ସହ ଘରେ ଥିବା ଆସବାବପତ୍ର ନଷ୍ଟ କରିଛନ୍ତି। ଏଥିସହ ୧୦ ଏକର ଧାନ ଓ ପନିପରିବା ହାତୀପଲ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଛତ୍ରପୁର ପଞ୍ଚାୟତ କୁଟିଙ୍ଗପଦର ଗ୍ରାମରେ ବୁଧବାର ରାତିରେ ୧୪ ଟିକିଆ ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ଉପପଦ୍ର କରିଥିଲେ। ପ୍ରଥମେ କୁଟିଙ୍ଗ ପଦର ଗ୍ରାମର ପାତ୍ର ମାଝି, ରବୀ ମାଝି ଓ ବାମନି ମାଝିଙ୍କ ଘର ଭାଙ୍ଗି ଘରେ ଥିବା ଧାନ, ମକା, କାନ୍ଦୁଲ, ଚାଉଳ ଖାଇବା ସହିତ ଆବାସ ପତ୍ର ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲ କୁଟିଙ୍ଗପଦର ଗାଁର ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ୨୫ଜଣ ଆଦିବାସୀଙ୍କୁ ୨୫ ଏକର ବିଭିନ୍ନ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଥିବା ପ୍ରାୟ ୧୦ ଏକର ଧାନ, ଝୁଣୁଙ୍ଗ, ବାଇଗଣ ଅନ୍ୟ ଚାଷ ହାତୀପଲ ନଷ୍ଟ କରିଛନ୍ତି। ଖବର ପାଇ ଲାଞ୍ଜିଗଡ ଓପିଇଲିପି କୃଷି ଅଧିକାରୀ ପରମାନନ୍ଦ ରଣା ଘଟଣାର ତଦନ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ହାତୀପଲ ଗତ ମଙ୍ଗଳବାର ରାତିରେ ଲାଞ୍ଜିଗଡ ପଞ୍ଚାୟତ ଭଟାଜରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ୨୦ ଫୁଟ ପାଚେରୀ ଭାଙ୍ଗିବା ସହ ୨ଟି ସ୍କୁଲର ଶୈଚାଳୟ ଭାଙ୍ଗିବା ପରେ ଗାଁରେ ଥିବା କପଡା ମାଝିର ଘର ଭାଙ୍ଗି ଦେଇଥିଲେ। ଭୟରେ ଗାଁ ଲୋକେ ବାଜାବାଜଣା ଧରି ହାତୀ ଘଉଡ଼ାଇ ଥିଲେ। ବର୍ତ୍ତମାନ ମଧ୍ୟ ଏହି ହାତୀପଲ କୁଟିଙ୍ଗପଦର ଗାଁ ନିକଟସ୍ଥ ଜଙ୍ଗଲରେ ରହିଥିବାରୁ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।