ସିଦ୍ଧେଶ୍ୱରୀଙ୍କ ମୂର୍ତ୍ତିକୁ ହାଣିଦେଲେ

ଝୁମ୍ପୁରୀ,୬ା୮(ସରୋଜ ନାୟକ): ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ପୂଜା ପାଉଥିବା ସିଦ୍ଧେଶ୍ୱରୀ ଠାକୁରାଣୀଙ୍କ ମୂର୍ତ୍ତିକୁ ହଣାଯାଇଛି। ସେହି ଅଞ୍ଚଳର ଧୀରେନ୍‌ ଜେନା ଶୁକ୍ରବାର ରାତି ୮ଟାରେ ଏକ ଟାଙ୍ଗିଆ ସାହାଯ୍ୟରେ ମା’ଙ୍କ ମୁହଁକୁ ହାଣିବା ସହିତ ମନ୍ଦିରର ବିଭିନ୍ନ ଜାଗାକୁ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଦେଖି ତାଙ୍କୁ କାବୁ କରିବା ସହ ଯାଜପୁର ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ପହଞ୍ଚତ୍ ତାଙ୍କୁ ଥାନାକୁ ନେଇଛି। ତେବେ ସେ କାହିଁକି ମୂର୍ତ୍ତିକୁ ହାଣିଲେ ତାହା ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି। ଧୀରେନ ଅଞ୍ଚଳର ବିଭିନ୍ନ ଲୋକଙ୍କ ଘରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ।
ମାତା ବୈତରଣୀ କୂଳରେ ପ୍ରସିଦ୍ଧ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ। ଏହି ସିଦ୍ଧେଶ୍ୱର ମନ୍ଦିରରେ ହରହରି ପୂଜା ପାଉଛନ୍ତି। ଏହା ଅସ୍ତିକ୍ଷେପଣ ଘାଟ ଭାବେ ବିଶ୍ୱବିଦିତ। ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସି ବୈତରଣୀକୂଳରେ ଥିବା ଅସ୍ତିକ୍ଷେପଣ ଘାଟରେ ଅସ୍ତିବସର୍ଜନ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ସିଦ୍ଧେଶ୍ୱର ମନ୍ଦିରକୁ ଲାଗି ମାତା ସିଦ୍ଧେଶ୍ୱରୀ ମନ୍ଦିର। ଏହା ବହୁ ପ୍ରାଚୀନତମ। ତେବେ କାହିଁକି ଧୀରେନ ମା’ଙ୍କ ମୁହଁକୁ ହାଣି ବିକୃତ କଲେ। ଏହାପଛରେ କାହାର ଷଡ଼ଯନ୍ତ୍ର ଅଛି, ତାହା ପୋଲିସ ତଦନ୍ତ କରି ପର୍ଦ୍ଦାଫାଶ କରିବାକୁ ସାଧାରଣରେ ଦାବି ହୋଇଛି।