ହମାସ୍‌ର ସୁଡ଼ଙ୍ଗ ଧ୍ୱଂସକରିବା ସହଜ ନୁହେଁ

ଜେରୁଜେଲମ୍‌,୨୮ା୧୦: ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌ରେ ବଡ଼ ଧରଣର ସ୍ଥଳଯୁଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରାଏଲୀ ସେନା ଦୁଇଦିନ ହେଲା ସଂକ୍ଷିପ୍ତ ଗ୍ରାଉଣ୍ଡ ରେଡ୍‌ ଚଳାଇଛି। ତେବେ ଗାଜାରେ ଥିବା ହମାସ୍‌ର ଗୁପ୍ତ ଟନେଲଗୁଡ଼ିକୁ ଧ୍ୱଂସ କରିବା କଷ୍ଟକର ହେବ ବୋଲି ଇସ୍ରାଏଲ୍‌ ପୂର୍ବାନୁମାନ କରିଛି। ହମାସ୍‌ ଆତଙ୍କବାଦୀମାନଙ୍କୁ ଉକ୍ତ ଗୁପ୍ତ ସୁଡ଼ଙ୍ଗ ସୁରକ୍ଷା ଯୋଗାଇଦେଉଛି। ସ୍ଥଳଯୁଦ୍ଧରେ ସେମାନଙ୍କୁ ଟନେଲ ଭିତରେ ମୁକାବିଲା କରିବା ଇସ୍ରାଏଲୀ ସୈନ୍ୟଙ୍କ ପାଇଁ ସହଜ ହେବନାହିଁ। ସେଥିପାଇଁ ସମ୍ପୂର୍ଣ୍ଣ ସ୍ଥଳଯୁଦ୍ଧ ଆରମ୍ଭ କରିବାକୁ ଜେରୁଜେଲମ୍‌ ବିଳମ୍ବ କରୁଛି। ୩ ସପ୍ତାହ ହେଲା ଚାଲିଥିବା ଯୁଦ୍ଧରେ ୭,୩୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହେବା ସହ ହଜାର ହଜାର ଲୋକ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ୨,୯୦୦ରୁ ଅଧିକ ଶିଶୁ ଏବଂ ୧,୫୦୦ରୁ ଊର୍ଦ୍ଧ୍ୱ ମହିଳା ରହିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବହୁସଂଖ୍ୟାରେ ପାଲେଷ୍ଟିନୀୟ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଇସ୍ରାଏଲ୍‌ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କରେ ୧୧୦ ପାଲେଷ୍ଟିନୀୟ ପ୍ରାଣ ହରାଇଲେଣି। ସେହିପରି ହମାସ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ହମାସ୍‌ ଇସ୍ରାଏଲ୍‌ରୁ ବିଦେଶୀ ସମେତ ୨୨୯ ଜଣଙ୍କୁ ନେଇଯାଇ ଗାଜାରେ ପଣବନ୍ଦୀ ରଖିଛି। ସେମାନଙ୍କ ମଧ୍ୟରୁ ୪ ବିଦେଶୀଙ୍କୁ ଇତିମଧ୍ୟରେ ମୁକ୍ତ କରିଦିଆଯାଇଛି।
ଇସ୍ରାଏଲୀ ସେନା ଯୁଦ୍ଧବିମାନ ଏବଂ ଡ୍ରୋନ୍‌ ସହାୟତାରେ ଶୁକ୍ରବାର ଗାଜା ଷ୍ଟ୍ରିପ୍‌ ଉପକଣ୍ଠରେ ଦ୍ୱିତୀୟ ଗ୍ରାଉଣ୍ଡ ରେଡ୍‌ କରିଥିଲା। ତେବେ ଏଥିରେ କେତେ ମୃତାହତ ହୋଇଛନ୍ତି ତାହା ଜଣାପଡ଼ି ନାହିଁ। ଇତିମଧ୍ୟରେ ଆମେରିକା ଯୁଦ୍ଧବିମାନ ପୂର୍ବ ସିରିଆରେ ଥିବା ସାମରିକ ଘାଟି ଉପରେ ଆକ୍ରମଣ କରିଛି। ଉକ୍ତ ସାମରିକ ଘାଟିକୁ ଇରାନ ସମର୍ଥତ୍ତ ମିଲିସିଆ ଗ୍ରୁପ୍‌ ବ୍ୟବହାର କରୁଥିଲେ।

Share