ନଷ୍ଟ ହେଉଛି ବର୍ଷକର ଅମଳ

ଖଇରା, ୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଗନଧୂଳି ସେବା ସମବାୟ ସମିତି ଅଧୀନରେ ଚାଷୀଙ୍କର ଧାନ କିଣା ନ ହେବା ଯୋଗୁ ମାସ ମାସ ଧରି ଘରେ ପଡି ନଷ୍ଟ ହେଉଛି । ସରକାରଙ୍କ ତରଫରୁ ଟୋକନ ଇସ୍ୟୁ କରାଯାଇଥିଲେ ମଧ୍ୟ ଟାର୍ଗେଟ ନ ଥିବାରୁ ଧାନ କିଣା ବନ୍ଦ ରହିଛି। ପ୍ରତିବାଦରେ ଶହ ଶହ ଚାଷୀ ସୋର- କୁପାରୀ ରାଜ୍ୟ ରାଜପଥକୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲେ। ପରେ ତହସିଲଦାର ପ୍ରଦୀପ କୁମାର ସାହୁ, ଅତିରିକ୍ତ ତହସିଲଦାର ସନ୍ଦିପ ଶୁଭଦର୍ଶନ ଧଳ, ବ୍ଲକ ଯୋଗାଣ ବିଭାଗ ଅଧିକାରୀ ନିରଞ୍ଜନ ସାହୁ ପ୍ରମୁଖ ପହଞ୍ଚି ରାସ୍ତାରେ ପଡି ରହିଥିବା ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରି ନ ଥିଲେ। ଅବଧି ସରିଯାଇଥିବା ଟୋକନକୁ ପୁଣିଥରେ କାଏମ କରିବା ଦାବିରେ ଚାଷୀମାନେ ଅଡିବସିଥିଲେ।
ଅଭିଯୋଗ ଅନୁଯାୟୀ ଚାଷୀଙ୍କୁ ଧାନ କିଣିବାକୁ ଟୋକନ ଇସ୍ୟୁ କରାଯାଇଥିଲା। ୧ମାସ ଅତିରିକ୍ତ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଧାନ କିଣାଯାଇ ନ ଥିବାରୁ ଅଧିକାଂଶ ଚାଷୀଙ୍କର ଟୋକନ ମୂଲ୍ୟହୀନ ହୋଇପଡିଛି। ପ୍ରତିବାଦରେ ଏହି ସମିତି ଅଧୀନ ଶହ ଶହ ଚାଷୀ ମଙ୍ଗଳବାର ପ୍ରଥମେ ସମିତି ଆଗରେ ଧାରଣାରେ ବସି ରହିଥିଲେ। ହେଲେ କୌଣସି ପ୍ରଶାସନିକ ଅଧିକାରୀ ନ ପହଞ୍ଚିବା ପରେ ସେମାନେ ନିଜର ଧାନବସ୍ତା ସହ ସୋର-କୁପାରୀ ରାସ୍ତାରେ ବସି ରହିଥିଲେ ା ଟୋକନ ଦେଇ ସରକାର ଧାନ କିଣିବାର ଆଶା ଦେଖାଇ ହଟହଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚାଷୀ ଅମୂଲ୍ୟ ଗିରି, ବାଞ୍ଚାନିଧି ଲେଙ୍କା, ଭାସ୍କର ଚନ୍ଦ୍ର ପଣ୍ଡା, ରୁକ୍ମଣୀ ନାୟକ, ସଞ୍ଜୟ କୁମାର ପୃଷ୍ଟି, ମନୋରଞ୍ଜନ ବେହେରା ଓ ରାମଚନ୍ଦ୍ର ବାରିକ ପ୍ରମୁଖ ଅଭିଯୋଗ କରିଥିଲେ। ଭାଜପା ନେତା ପଦ୍ମଲୋଚନ ପଣ୍ଡା ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କର ଦାବିକୁ ସମର୍ଥନ ଜଣାଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ।