ବିନାଶକାରୀ ଅବସ୍ଥା, ବଢୁଛି ମୃତକଙ୍କ ସଂଖ୍ୟା-କମୁଛି ଜନ୍ମ ହାର…

ଓ୍ବାଶିଂଟନ,୨୦।୯: ଆମେରିକାର ଆଲବାମା ରାଜ୍ୟରେ ବିନାଶକାରୀ ଅବସ୍ଥା ସୃଷ୍ଟି ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଜନ୍ମ ହାର କମିବାରେ ଲାଗିଛି। ଫଳରେ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଥିବା ଅନ୍ତର କମୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। ଆଲବାମା ରାଜ୍ୟ ଭଳି ସ୍ଥିତି ଧୀରେଧୀରେ ଦେଶର ଅନ୍ୟ ରାଜ୍ୟରେ ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

ଆଲବାମା ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀ ଡ. ସ୍କଟ୍‌ ହାରିସ୍‌ଙ୍କ ଅନୁସାରେ ୨୦୨୦ରେ ରାଜ୍ୟରେ ୬୪,୭୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ସମୟରେ ୫୭,୬୧୪ ଜଣ ଶିଶୁଙ୍କର ଜନ୍ମ ହୋଇଛି। କରୋନା ମହାମାରୀ ଯୋଗୁ ଜନ୍ମ ହାର କମିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିଥିବା ହାରିସ୍‌ କହିଛନ୍ତି।

ନ୍ୟୁ ହେମ୍ପଶାୟର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଆମେରିକାର ୫୦ ପ୍ରତିଶତରୁ ଅଧିକ ରାଜ୍ୟରେ ଆଲବାମା ଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୧୯ରେ ଦେଶର ୫୦ ରାଜ୍ୟରୁ କେବଳ ୫ଟିରେ ଏଭଳି ସ୍ଥିତି ଦେଖାଦେଇଥିଲା। ମାତ୍ର ଏବେ ଏହା ଧୀରେଧୀରେ ବଢ଼ିବାରେ ଲାଗିଛି। ଏହା ବାଇଡେନ୍‌ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ପାଇଁ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି।

Share