ଦାରିଙ୍ଗବାଡି,୨୩।୨(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକରେ ଶେଷ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବ। ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଭ୍ରମରବାଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ବାପା ଉକ୍ତ ପଞ୍ଚାୟତର କୁମ୍ଭାରବାଡି ଅଞ୍ଚଳରେ ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେ ଲୋକଙ୍କୁ ଭୋଟ ଦେବା ପାଇଁ ଟଙ୍କା ବାଣ୍ଟୁଥିବା ସନ୍ଦେହରେ ତାଙ୍କୁ ଶତାଧିକ ଗ୍ରାମବାସୀ ଅଟକ ରଖିଥିଲେ। ଖବର ପାଇ ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝି ସଦଳବଳ ପହଞ୍ଚି ପ୍ରାର୍ଥୀଙ୍କ ବାପାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରବେଳେ ତାଙ୍କ ବାପାଙ୍କୁ ଜୋରଜବରଦସ୍ତ କିଛି ଲୋକ ଅଟକ ରଖିଥିବା ଅଭିଯୋଗ ହୋଇଥିବା ଥାନା ପକ୍ଷରୁ କୁହାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି ।