ପାଗରେ ଅବନତି, ଦୁଇ ରାଜ୍ୟରେ ସତର୍କତା

ଭୋଗରାଇ,୨୪।୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ସାଗରଦ୍ୱୀପ ମଧ୍ୟସ୍ଥଳରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଥିପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସତର୍କତା ଜାରି କରିଛନ୍ତି। ସି-ତ୍ରଙ୍ଗ ନାମିତ ଏହି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ନ ଥିଲେ ମଧ୍ୟ ପଶ୍ଚିମବଙ୍ଗ ଉପକୂଳରେ ଘସି ହୋଇଯିବ ବୋଲି ସୂଚନା ମିଳିବା ପରେ ଓଡ଼ିଶା ସୀମାନ୍ତ ଦୁଇ ରାଜ୍ୟରେ କଡ଼ା ସତର୍କତା ଓ ସଚେତନତା କରାଯାଉଛି। ରବିବାର ପାଗରେ ଅବନତି ହୋଇ ବିକ୍ଷିପ୍ତ ବର୍ଷା ହୋଇଛି। ସାମୁଦ୍ରିକ ଝଡ଼ ସହିତ ଅମାବାସ୍ୟା ତିଥି ପଡୁଥିବାରୁ ସମୁଦ୍ର ଅତି ଭୟଙ୍କର ହେବ ବୋଲି କୁହାଯାଉଥିବା ବେଳେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ବାଲେଶ୍ୱର ଉପକୂଳରେ ତୀକ୍ଷ୍‌ଣ ନଜର ରଖିବାକୁ ଜିଲା ଶାସକ ସମସ୍ତ ବ୍ଲକ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବ୍ଲକରେ ଭର୍ଚୁଆଲ ବୈଠକ କରାଯାଇଥିବା ସୂଚନା ମିଳିଛି।
ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା, ସୈକତ ସହର ସରକାର ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ସମ୍ଭାବ୍ୟ ବାତ୍ୟା ସହ ସମୁଦ୍ର ଉତ୍ତାଳ ହୋଇ କୂଳ ଲଂଘିବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର କୂଳବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀରେ ଏନ୍‌ଡିଆର୍‌ଏଫ୍‌ ସହ ସିଭିଲ ଡିଫେନ୍ସ ସର୍ଭିସର କର୍ମଚାରୀମାନେ ପହଞ୍ଚତ୍ ସଚେତନତା କରୁଛନ୍ତି। ସାମୁଦ୍ରିକ ଝଡ଼କୁ ନେଇ ମତ୍ସ୍ୟଜୀବୀମାନେ ଟ୍ରଲର ଓ ଡଙ୍ଗା କୂଳରେ ଲଗାଇଛନ୍ତି। ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଛନ୍ତି। ବାତ୍ୟା ପଶ୍ଚିମବଙ୍ଗ ଉପକୂଳ ଘସି ହୋଇଗଲେ ବାଲେଶ୍ୱର ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଝଡ଼ବର୍ଷା ହେଲେ ଏବେ ଗର୍ଭଧାରଣ କରିଥିବା ଧାନଚାଷ ସହିତ ପନିପରିବା ଚାଷ ଉଜୁଡ଼ି ଯାଇପାରେ ବୋଲି ଚାଷୀକୂଳ ଚିନ୍ତିତ ହୋଇଛନ୍ତି।