ମାଲକାନଗିରି,୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁରରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ବୋମାକୁ ନିଷ୍କ୍ରିୟ କରିବାକୁ ଯାଇ ଜଣେ ଯବାନ ଗୁରୁତର ହୋଇଛନ୍ତି। ବୋମା ନିଷ୍କ୍ରିୟ ବେଳେ ଏହା ବିସ୍ଫୋରଣ ହୋଇଥିଲା। ସମ୍ପୃକ୍ତ ଯବାନ ଜଣକ ହେଲେ ଅଞ୍ଜୁରିରାମ ବାଗେଲ। ସେ ଡିଆର୍ଜି ଯବାନ ଭାବେ କାର୍ଯ୍ୟ କରୁଥିଲେ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ନାରାୟଣପୁର ଜିଲା ଛୋଟେଡଙ୍ଗର ବାହାକେର ଜଙ୍ଗଲରେ ମାଓବାଦୀ ଦମନ ଲାଗି ଯବାନମାନେ କୋମ୍ବିଂ ଅପରେଶନ କରୁଥିଲେ। ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଏକ ଆଇଇଡି ବୋମାକୁ ଯବାନ ଠାବ କରିଥିଲେ। ହେଲେ ଯବାନମାନେ ବୋମାକୁ ନିଷ୍କ୍ରିୟ କରୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଅଞ୍ଜୁରିରାମ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ଲାଗି ନାରାୟଣପୁର ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍ଦାର କରାଯାଇଛି।