ଭୁବନେଶ୍ୱର,୨।୭: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ନୂତନ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦେବଦତ୍ତ ଚାନ୍ଦ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଚାନ୍ଦ ଏହା ପୂର୍ବରୁ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ବିଓବିର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ସଞ୍ଜୀବ ଚଢ଼ାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କ ସ୍ଥାନରେ ଚାନ୍ଦଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି। ସେହିଭଳି ଦୀର୍ଘ ୨୯ ବର୍ଷର ଅଭିଜ୍ଞତା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିବା ଚାନ୍ଦ ଆଗାମୀ ଦିନରେ ବିଓବି ପାଇଁ ଅନେକ କିଛି କରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚାନ୍ଦ ଓଡ଼ିଶାର ବଲାଙ୍ଗୀର ସହରର ନିବାସୀ ହୋଇଥିବାରୁ ଓଡ଼ିଶା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି। ବିଶେଷକରି ବିଓବି ଓଡିଶା କ୍ଷେତ୍ର ଓ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀମାନେ ବେଶ୍ ଉତ୍ସାହିତ ଅଛନ୍ତି।