Categories: ଖେଳ

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଡିକ୍କଲ କରୋନା ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ୨୦ ବର୍ଷୀୟ ଏହି ଖେଳାଳି କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତେବେ ସେ ପ୍ରଥମ ମ୍ୟାଚ୍‌ରେ ଖେଳିବେ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ବାମହାତୀ ବ୍ୟାଟ୍ସମ୍ୟାନ୍‌ ପାଡ଼ିକ୍କଲ ବିଜୟ ହଜାରେ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେ କେବଳ ୭ ମ୍ୟାଚ୍‌ରେ ହାରାହାରି ୧୪୭.୪୦ରେ ୭୩୭ ରନ୍‌ କରିଥିଲେ। ଏଥିରେ ୪ ଶତକ ରହିଥିଲା।

ତେବେ ଦେବଦତ୍ତ ପ୍ରଥମ କ୍ରିକେଟର ନୁହନ୍ତି ଯିଏ ଆଇପିଏଲ୍‌ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଣୁ ସେ ଏପ୍ରିଲ ୧୦ରେ ହେବାକୁ ଥିବା ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଏହାଛଡ଼ା କୋଲକାତା ନାଇଟ୍‌ ରାଇଡର୍ସା ନୀତିଶ ରାଣାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ ପୁଣି ଅଭ୍ୟାସ କରିବା ଆରମ୍ଭ କରିଛନ୍ତି।