Categories: ଜାତୀୟ

୨ କୋଟି କ୍ଷତିପୂରଣ ଦେବେ ଦେବେଗୌଡ଼ା

ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବେ ବୋଲି ବେଙ୍ଗାଲୁରୁର ଏକ କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଦେବେଗୌଡ଼ା ୨୦୧୧ରେ ଏକ ଟେଲିଭିଜନକୁ ସାକ୍ଷାତକାର ଦେଇ ନନ୍ଦି ଇନ୍‌ଫ୍ରାଷ୍ଟ୍ରକଚର କରିଡର ଏଣ୍ଟରପ୍ରାଇଜେସ୍‌ (ଏନ୍‌ଆଇସିଇ) କମ୍ପାନୀ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଏନ୍‌ଆଇସିଇ ଏବେ ଏକ ମେଗା ଇଣ୍ଟିଗ୍ରେଟେଡ ପ୍ରୋଜେକ୍ଟ ଅଧୀନରେ ହେଉଥିବା ବେଙ୍ଗାଲୁରୁ-ମହୀଶୂର ଇନ୍‌ଫ୍ରାଷ୍ଟ୍ରକଚର କରିଡର ପ୍ରକଳ୍ପ କାମ କରୁଛି। ଏହି ପ୍ରକଳ୍ପ ଭାରତର ସବୁଠାରୁ ବଡ଼ ବିଲ୍ଡ-ଓନ୍‌-ଅପରେଟ୍‌-ଟ୍ରାନ୍ସଫର(ବିଓଓଟି) ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ। କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ଦେବେଗୌଡ଼ା ଏକ କନ୍ନଡ଼ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏନ୍‌ଆଇସିଇ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଅଶୋକ ଖିନେଙ୍କ ବିରୋଧରେ ତଥ୍ୟବିହୀନ ମନ୍ତବ୍ୟ ରଖିଥିଲେ। ବିଓଓଟି ପ୍ରୋଜେକ୍ଟକୁ ‘ଲୁଟ୍‌ ପ୍ରୋଜେକ୍ଟ’ ବୋଲି କହିବା ସହ ଖିନେଙ୍କୁ ଜମି ମାଫିଆ ବୋଲି ସେ ଦର୍ଶାଇଥିଲେ। ଏ ବାବଦରେ କମ୍ପାନୀ ମାନହାନି ମକଦ୍ଦମା କରିବା ସହ କୋର୍ଟରେ ୧୦ କୋଟି ଟଙ୍କା କ୍ଷତିପୂରଣ ମାଗିଥିଲା।

Share