Categories: ଜାତୀୟ

ବିକଶିତ ଭାରତ ସଂକଳ୍ପ ଯାତ୍ରା: ସାମିଲ ହେଲେଣି କୋଟିଏରୁ ଅଧିକ

ନୂଆଦିଲ୍ଲୀ, ୯ା୧୨(ପିଆଇବି): ନଭେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଖୁଣ୍ଟିରେ ଶୁଭାରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସାରା ଦେଶରେ ନାଗରିକମାନଙ୍କ ସହ ସମ୍ପକର୍ର୍ ବୃଦ୍ଧି ଉଦ୍ଦେଶ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ ରୂପେ ଉଭା ହୋଇଛି। ଉଦ୍‌ଘାଟନର ମାସକ ଭିତରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି।
ଇଲେକ୍ଟ୍ରୋନିକ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କଷ୍ଟମାଇଜ୍‌ଡ ପୋର୍ଟାଲରେ ପ୍ରଦତ୍ତ ତଥ୍ୟାନୁସାରେ ଡିସେମ୍ବର ୭ ସୁଦ୍ଧା ଏହି ଯାତ୍ରା ୩୬,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପହଞ୍ଚତ୍ସାରିଛି। ଏଥିରେ ୧ କୋଟିରୁ ଊର୍ଦ୍ଧ୍ୱ ନାଗରିକ ସାମିଲ ହୋଇଥିବା ଦେଖାଯାଇଛି। ଭାରତର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶର ୩୭ ଲକ୍ଷରୁ ଅଧିକ ଲୋକ ଯୋଗଦାନ କରିଛନ୍ତି। ସେହିପରି ମହରାଷ୍ଟ୍ରରୁ ୧୨.୭ ଓ ଗୁଜରାଟରୁ ୧୧.୫୮ ଲକ୍ଷ ସାମିଲ ହୋଇଛନ୍ତି। ଏପରି କି ଜମ୍ମୁ-କଶ୍ମୀରର ୯ ଲକ୍ଷ ଲୋକ ଏଥିରେ ମିଶିସାରିଲେଣି। ପ୍ରତିଦିନ ଯାତ୍ରାରେ ଯୋଗଦାନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାତ୍ରାର ପ୍ରଥମ ସପ୍ତାହରେ ୫ ଲକ୍ଷ ନାଗରିକ ଭାଗନେଇଥିବାବେଳେ ୧୦ ଦିନ ଭିତରେ ସେମାନଙ୍କ ସଂଖ୍ୟା ୭୭ ଲକ୍ଷ ଟପିଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଦେଶବାସୀଙ୍କୁ ସରକାରୀ ଯୋଜନାଗୁଡ଼ିକର ସୁବିଧା ହାସଲ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଭି) ଭ୍ୟାନ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ପିଏମ୍‌ ଉଜ୍ୱଳା ସ୍କିମ୍‌ ଭଳି ମହିଳା କୈନ୍ଦ୍ରିକ ୪୬ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ସଚେତନା ହେଲେଣି। ଅଦ୍ୟାବଧି ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବିଭିନ୍ନ ହେଲ୍‌ଥ କ୍ୟାମ୍ପରେ କରାଯାଇସାରିଲାଣି।

Share