ବିକଶିତ ପର୍ଯ୍ୟଟନ ଆବଶ୍ୟକ

ଈପ୍ସିତା ମହାନ୍ତି

ପର୍ଯ୍ୟଟନ ଶିଳ୍ପ ସାରାଦୁନିଆ ପାଇଁ କେବଳ ଅର୍ଥନୈତିକ ପ୍ରଗତି ଆଣେ ନାହିଁ ବରଂ ରୋଜଗାରର ଅଜସ୍ର ସୁଯୋଗ ସୃଷ୍ଟି କରେ। କେତେକ ରାଷ୍ଟ୍ରର ଅର୍ଥନୀତି ଓ ଘରୋଇ ଉତ୍ପାଦରେ ଏହାର ଯୋଗଦାନ ସର୍ବାଧିକ। ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ୩୨ଲକ୍ଷ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଭାରତର ସ୍ଥିତି କିନ୍ତୁ ଅତିବ ନୈରାଶ୍ୟଜନକ। ସୁବିସ୍ତୀର୍ଣ୍ଣ ବେଳାଭୂମି, ହିମାଳୟ ପାର୍ବତ୍ୟାଞ୍ଚଳ ସହ ଅସଂଖ୍ୟ ପାର୍ବତ୍ୟ ଉପତ୍ୟକା, ଏକାଧିକ ବାଲୁକାମୟ ସହର, ନଦୀନାଳ, ଜଳପ୍ରପାତ, ବଣପାହାଡ଼, ଐତିହାସିକ କୀର୍ତ୍ତିରାଜି, କ’ଣ ନାହିଁ ଆମ ଦେଶରେ ? ସାରାଦୁନିଆରେ ଜନସଂଖ୍ୟା ଦୃଷ୍ଟିରୁ ୨ୟ, କ୍ଷେତ୍ରଫଳରେ ୭ମ ଏବଂ ଜିଡିପିରେ ୩ୟ ସ୍ଥାନରେ ଥିବା ଭାରତର ସ୍ଥାନ ବିଶ୍ୱ ପର୍ଯ୍ୟଟନ ତାଲିକାରେ ୩୪ତମ। ଆତ୍ମନର୍ଭରଶୀଳ ଦୃଷ୍ଟିରୁ ଏହା ଆମକୁ ବହୁ ପଛକୁ ଠେଲି ଦେଇଛି।
ପର୍ଯ୍ୟଟନ କ୍ଷେତ୍ରରେ ଯଦି ବିଶ୍ୱବ୍ୟାପୀ ତୁଳନା କରିବା, ତେବେ ସମୁଦାୟ ୨ଲକ୍ଷ ବର୍ଗ ମାଇଲର କ୍ଷେତ୍ରଫଳ ଓ ସାଢେ ୪କୋଟି ଜନସଂଖ୍ୟା ବିଶିଷ୍ଟ ସ୍ପେନ ହେଉଛି ଏକମାତ୍ର ଦେଶ ଯେଉଁଠିକୁ ଦୁନିଆର ବିଭିନ୍ନ ପ୍ରାନ୍ତରୁ ପ୍ରତିବର୍ଷ ୮କୋଟି ଲୋକ ଭ୍ରମଣରେ ଯାଇଥାନ୍ତି। ଏହି ତଥ୍ୟ ଅନୁସାରେ ସ୍ପେନ୍‌ ହେଉଛି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ। ସମଗ୍ର ବିଶ୍ୱରେ ଯଦି ବାର୍ଷିକ ୫୦କୋଟି ଲୋକ ଭ୍ରମଣ କରୁଥାନ୍ତି, ତେବେ ସେଥିମଧ୍ୟରୁ ୧୬% ଲୋକଙ୍କୁ ଏକାକୀ ସ୍ପେନ୍‌ ଟାଣି ନିଏ। ସେହିଭଳି ପାଖାପାଖି ୯% ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ଫ୍ରାନ୍ସ, ଯାହାର ମୋଟ କ୍ଷେତ୍ରଫଳ ଅଢ଼େଇ ଲକ୍ଷ ବର୍ଗ ମାଇଲ୍‌। ବିଶ୍ୱ ପର୍ଯ୍ୟଟନର ଅନୁକୂଳ ଦେଶଙ୍କ ତାଲିକାରେ ଫ୍ରାନ୍ସ ଏବଂ ସ୍ପେନ୍‌ ପ୍ରଥମ ୨ସ୍ଥାନ ଅଧିକାର କରି ନେଇଛନ୍ତି। ତା’ ପଛକୁ ୩ୟ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ବିଶ୍ବର ବୃହତ୍ତମ ବଜାର ହେତୁ ଏହା ୩ୟରେ ରହିବା ଆଶ୍ଚର୍ଯ୍ୟଜନକ ନୁହେଁ। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ୧ମ ସ୍ଥାନରେ ଥିବା ଚାଇନା ତାଲିକାର ୪ର୍ଥ ସ୍ଥାନରେ ରହିବା ଅନେକଙ୍କୁ ଚକିତ କରୁଛି। ପ୍ରତିବର୍ଷ ଦୁନିଆର ୬କୋଟିରୁ ଊର୍ଦ୍ଧ୍ୱ ଲୋକ ଚାଇନା ଭ୍ରମଣରେ ଯାଇଥାନ୍ତି। ପର୍ଯ୍ୟଟନ ଶିଳ୍ପରୁ ଫ୍ରାନ୍ସ, ସ୍ପେନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ସୁଇଜରଲାଣ୍ଡ ଏବଂ ନେଦରଲାଣ୍ଡ ଭଳି ଦେଶ ବାର୍ଷିକ ବହୁ କୋଟି ଆୟ କରୁଛନ୍ତି।
କେତେକଙ୍କ ମତରେ, ଆମ ଦେଶରେ ପ୍ରତିଦିନ ସଂଖ୍ୟାଧିକ ଆପରାଧିକ ମାମଲା ଘଟୁଥିବାରୁ ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସନ୍ତି ନାହିଁ। କାରଣ ପର୍ଯ୍ୟଟକଗଣ ନିଜ ସୁରକ୍ଷାକୁ ପ୍ରାଥମିକତା ଦେଇଥାନ୍ତି। ଏଭଳି ଯୁକ୍ତି ଅମୂଳକ ନୁହେଁ। କିନ୍ତୁ ଆପରାଧିକ ମାମଲାରେ ସାରାଦୁନିଆରେ ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଗ୍ରେ ରହିବେ। ହେଲେ ମେକ୍ସିକୋ ହେଉଛି ପର୍ଯ୍ୟଟକଙ୍କ ୭ମ ପସନ୍ଦଯୋଗ୍ୟ ରାଷ୍ଟ୍ର। ବାର୍ଷିକ ୪କୋଟିରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଏଠାକୁ ଯାଇଥାନ୍ତି। ଏ ଦୃଷ୍ଟିରୁ ଭାରତକୁ କମ୍‌ ପର୍ଯ୍ୟଟକ ଆସିବା ଚିନ୍ତାର ବିଷୟ ।
ସେହିପରି କୋଳାହଳ ମଧ୍ୟ ଏକ କାରଣ। ଶାନ୍ତ ପରିବେଶକୁ ଖୋଜିଖୋଜି ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକ ଆଜି ଏଠାରେ ଶାନ୍ତିରେ ସମୟ କାଟିପାରୁ ନାହାନ୍ତି। ୨୦୦୮ର ଏକ ଘଟଣା- କିଛି ବିଦେଶୀ ପର୍ଯ୍ୟଟକ ସପରିବାର ଆନ୍ଧ୍ରପ୍ରଦେଶର ଆର୍କୁ ଉପତ୍ୟକାର ଶାନ୍ତ ପରିବେଶରେ ସମୟ କାଟୁଥାନ୍ତି, ଉପଭୋଗ କରୁଥାନ୍ତି ଠୋକାର ପ୍ରକୃତିକୁ। ଠିକ୍‌ ଏହି ସମୟରେ ବାଇକ୍‌ ଯୋଗେ ୧୦ରୁ ୧୨ଜଣ ସଂଘବଦ୍ଧ ଯୁବକ ସେମାନେ ରହୁଥିବା ସ୍ଥାନ ନିକଟରେ ପହଞ୍ଚିଗଲେ। କିଛି କ୍ଷଣରେ ଉକ୍ତ ସ୍ଥାନଟି ଅପରିଷ୍କାର ହୋଇଗଲା। ଏମାନଙ୍କ କୋଳାହଳରୁ ବର୍ତ୍ତିବା ପାଇଁ ସେହି ବିଦେଶୀ ପର୍ଯ୍ୟଟକ ସ୍ବତଃ ସେଠାରୁ ଚାଲିଯିବା ପାଇଁ ବାଧ୍ୟ ହୋଇଥିଲେ। ଶବ୍ଦ ପ୍ରଦୂଷଣ ହେଉଛି ଏକ ଦିଗ, ଯାହାକୁ ଆମ୍ଭମାନଙ୍କ ମଧ୍ୟରୁ କେହିକେହି ପୌରାଣିକ ଦୃଷ୍ଟିରେ ବିବେଚନା କରିଥାନ୍ତି। ନଚେତ ଏଠାକାର ବିଭିନ୍ନ ପର୍ବପର୍ବାଣି, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଅନାବଶ୍ୟକ ଭାବେ ଖୁବ୍‌ ଉଚ୍ଚ ଶବ୍ଦରେ ବାଦ୍ୟଯନ୍ତ୍ର ବାଜନ୍ତା ନାହିଁ କିମ୍ବା ଡାକବାଜି ଯନ୍ତ୍ରରୁ ବିକଟାଳ ଶବ୍ଦ ଶୁଭନ୍ତା ନାହିଁ। ଆପରାଧିକ ଶ୍ରେଣୀଭୁକ୍ତ ହୋଇ ନ ଥିବାରୁ କୋଳାହଳକୁ କେହି ମାନନ୍ତି ନାହିଁ। କେତେକଙ୍କ ମତରେ ଆମ ଜନସଂଖ୍ୟାର ଘନତ୍ୱ ପର୍ଯ୍ୟଟକଙ୍କ ଆଗମନ ପଥରେ କଣ୍ଟକ ସାଜିଛି। ମାତ୍ରାଧିକ ଭିଡ଼ ଓ କୋଳାହଳ ଯୋଗୁ ଏଠାରେ ବିଦେଶୀ ପର୍ଯ୍ୟଟକ ଅସହଜ ମନେ କରୁଛନ୍ତି। ତେବେ ଜନସଂଖ୍ୟା ଦୃଷ୍ଟିରୁ ଚାଇନା ହେଉଛି ବିଶ୍ୱର ବୃହତ୍ତମ ଦେଶ, ଯିଏ ଦେଢ଼ଶହ କୋଟି ଲୋକଙ୍କୁ ପାଳୁଛି। ଅଥଚ ପର୍ଯ୍ୟଟନ ଶିଳ୍ପ ତାଲିକାରେ ଚାଇନା ଭାରତ ଉପରେ ରହିଛି। । ଆମ ଦେଶକୁ ବାର୍ଷିକ ୨କୋଟି ଲୋକ ବି ଆସନ୍ତି ନାହିଁ। ଏଭଳି ସ୍ଥିତିରେ ମାତ୍ରାଧିକ କୋଳାହଳ ଏକ କାରଣ ହୋଇ ନ ପାରେ। ଆମ ପର୍ଯ୍ୟଟନ ମନ୍ତ୍ରଣାଳୟ ସୁପ୍ତ ଅବସ୍ଥାରେ ରହିବା ଏବଂ ବିଭାଗୀୟ କର୍ମଚାରୀ କଚ୍ଛପ ଗତିରେ କାର୍ଯ୍ୟ କରିବା ହେତୁ ଏହି କ୍ଷେତ୍ରରେ ଆମେ ଆଜି ବହୁ ପଛରେ ପଡ଼ିଯାଇଛେ।
ପର୍ଯ୍ୟଟନକୁ ପ୍ରାଥମିକତା ଦେଉଥିବା ସରକାର ଗୋଟିଏ ପରେ ଗୋଟିଏ ଅଭିନବ ବିକଳ୍ପ ଓ ସୁଯୋଗ ସୃଷ୍ଟି ପାଇଁ ପରିଯୋଜନା ତିଆରି କରନ୍ତି। ଏଥିପାଇଁ ସରକାର ଲୋକଙ୍କୁ ଆକୃଷ୍ଟ କଲାଭଳି ବିଜ୍ଞାପନ ତିଆରି କରନ୍ତି, ପର୍ଯ୍ୟଟକଙ୍କୁ ଲୋଭନୀୟ ସୁବିଧା ପ୍ରଦାନର ସର୍ତ୍ତ ରଖନ୍ତି, ରିହାତି ବିଷୟ ଘୋଷଣା କରନ୍ତି, ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗେଇ ଆସନ୍ତି। ସାଥେସାଥେ ବିଦେଶୀ ଚଳଚ୍ଚିତ୍ରର ସୁଟିଂ ପାଇଁ ସ୍ବତନ୍ତ୍ର ରିହାତିର ବ୍ୟବସ୍ଥା ମଧ୍ୟ କରନ୍ତି। ସମ୍ପ୍ରତି ଅଧିକାଂଶ ହଲିଉଡ୍‌ ଚଳଚ୍ଚିତ୍ରରେ ପର୍ଯ୍ୟଟନର ପ୍ରଚାର-ପ୍ରସାର ପାଇଁ ଦର୍ଶକଙ୍କୁ ମରକ୍କୋର ବିଭିନ୍ନ ଦୃଶ୍ୟ ଦେଖାଯାଉଛି। ନିକଟରେ ସେଠାରେ ଏକ ଚଳଚ୍ଚିତ୍ରର କ୍ଲାଇମାକ୍ସରେ ସାମୋଆକୁ ଦେଖାଯାଇଥିଲା। କାହିଁକି ଜାଣନ୍ତି ? ମାନଚିତ୍ରରେ ସାମୋଆ କେଉଁଠି ଅଛି ? ତାହା କେହି ଜାଣନ୍ତିନି। କିନ୍ତୁ ଏହାକୁ ଦେଖିବା ପରେ ଏ ବିଷୟରେ ଦର୍ଶକଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ ଯେ, କେତେ ସୁନ୍ଦର ହେଇଛି ସ୍ଥାନଟି ! ସେମାନେ ଖୋଜିବାକୁ ଲାଗିବେ, ଏହା କେଉଁଠି ଅବସ୍ଥିତ ?
ଦୁନିଆ କଥା ଛାଡ଼ନ୍ତୁ। ଟିକିଏ ଚିନ୍ତା କଲେ ଜାଣିଯିବା ଜୋୟାରେ କାହିଁକି ସ୍ପେନର ଛବି ଦେଖାଯାଇଥିଲା ? ଏହି ଚଳଚ୍ଚିତ୍ର ପରେ ଏକ ମିଲିୟନରୁ ଊର୍ଦ୍ଧ୍ୱ ଭାରତୀୟ ସ୍ପେନ ଯାତ୍ରାର ଯୋଜନା କରିଥିଲେ। ଥରେ ଭାବି ଦେଖନ୍ତୁ ତ ୧ଲକ୍ଷ ଲୋକ ଯଦି ସ୍ପେନ ଭ୍ରମଣରେ ଯିବେ ଓ ସେଠାରେ ଜଣକା ଅତିକମ୍‌ରେ ୧ହଜାର ୟୁରୋ ଲେଖାଏଁ ଖର୍ଚ୍ଚ କରବେ, ତା’ହେଲେ କେତେ ଟଙ୍କା ହେବ ? ୧ବିଲିୟନ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ହଜାର କୋଟି ଟଙ୍କା। ତା’ମାନେ କେବଳ ଗୋଟିଏ ଚଳଚ୍ଚିତ୍ରରୁ ଏତେ ପରିମାଣର ଅର୍ଥ ଆୟ ହୋଇପାରୁଛି। ଆମ ଜୈସାଲମେର୍‌ କୌଣସି ଗୁଣରେ ମରକ୍କୋଠାରୁ କମ୍‌ ନୁହେଁ। ହିମାଚଳ ପ୍ରଦେଶ ତୁଳନାରେ ସୁଇଜରଲାଣ୍ଡ କିଛି ନୁହେଁ। ବର୍ଷର ଅଧିକାଂଶ ସମୟ ଏଠାରେ ଜୀବନ ବିତାଇବା କଷ୍ଟକର କିନ୍ତୁ ଯେକୌଣସି ସମୟରେ ହିମାଚଳ ପ୍ରଦେଶକୁ ଭ୍ରମଣରେ ଯାଇପାରିବା। ଆମ ଉତ୍ତରାଖଣ୍ଡ ସହ କେହି ସମକକ୍ଷ ନୁହନ୍ତି। ସାରାଦୁନିଆ ବୁଲିଆସିଲେ ଶ୍ରୀନଗର ଭଳି ସହର ପାଇବା ନାହିଁ। ଦୁନିଆରେ ଲଦାଖର କେହି ବିକଳ୍ପ ନାହାନ୍ତି। ତଥାପି ଆମ ଦେଶକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦେଢ଼କୋଟିରେ ସୀମିତ! ଆମକୁ ଏହାର କାରଣ ଖୋଜି ବାହାର କରିବାକୁ ପଡ଼ିବ।
ପର୍ଯ୍ୟଟନ କ୍ଷେତ୍ରରେ ପଛୁଆ ପାଇଁ କେବଳ ଆମ ସରକାର କିମ୍ବା ପ୍ରଶାସନ ଦାୟୀ ନୁହନ୍ତି, ଆମ ଜନପ୍ରତିନିଧି, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଚଳଚ୍ଚିତ୍ର ଓ ସାହିତ୍ୟ ଜଗତ ମଧ୍ୟ ସମପରିମାଣରେ ଉତ୍ତରଦାୟୀ। ଚଳଚ୍ଚିତ୍ର ନିର୍ମାଣ ପାଇଁ ଏଠି ଟିକସ ବାବଦରେ ରିହାତି ମିଳେନାହିଁ। ଯଦିବା କାହାକୁ କିଛି ମିଳୁଛି ତାହା ଅତି କ୍ବଚିତ। ଏଠାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ହେଉଥିବା ଛୋଟମୋଟ ଖର୍ଚ୍ଚକୁ ଯଦି ଅପସାରଣ କରିନେବା, ତେବେ ସେହି ଅର୍ଥରେ ଚେକ୍‌ ରିପବ୍ଲିକର ପ୍ରାଗ୍‌ରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇପାରିବ ସିନା ଆମ ଦେଶର ବିହାରରେ ଏହା ଅସମ୍ଭବ। ଭାତହାଣ୍ଡିରୁ ଭାତଟିଏ ଚିପିଲା ଭଳି ଏସବୁକୁ ଯଦିଓ ଉଦାହରଣ କହିବା କିନ୍ତୁ ଏହା ହିଁ ହେଉଛି ବାସ୍ତବତା।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫