ଠିକାଦାର ହତ୍ୟା ମାମଲା: ରେଳଷ୍ଟେଶନରୁ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରିଷିପୁର ଗାଁର ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟତମ ହତ୍ୟାକାରୀଙ୍କୁ ପୋଲିସ ରବିବାର ବ୍ରହ୍ମପୁର ରେଳଷ୍ଟେଶନରୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ରିଷିପୁର ଗାଁର ଅନନ୍ତ ବେହେରା (୨୧)।

ଅନନ୍ତ ରବିବାର ବିହାର ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ପୋଲିସ ଆଗୁଆ ସୂଚନା ପାଇ ବ୍ରହ୍ମପୁର ରେଳଷ୍ଟେଶନରେ ଜଗି ରହିଥିଲା। ସେଠାରୁ ପୋଲିସ ଅନନ୍ତଙ୍କୁ ଗିରଫ କରିଥିଲା ବୋଲି ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ପୋଲିସ ତାଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ୍‌ ସହ ହତ୍ୟା ବେଳେ ଅନନ୍ତଙ୍କ ପ୍ୟାଣ୍ଟ ଓ ଶାର୍ଟରେ ଲାଗିଥିବା ରକ୍ତଭିଜା କପଡ଼ାକୁ ଜବତ କରିଛି। ପୋଲିସ ହତ୍ୟା ମାମଲା (ନଂ.୪୨୨/୨୨)ରେ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ରିଷିପୁର ଗ୍ରାମର ଭୀମ ବେହେରାଙ୍କ ସହ କୃଷ୍ଣ ବେହେରା(୫୦) ଓ ତାଙ୍କ ପୁଅ ସାଗର ବେହେରା(୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରକାଶଥାଉ କି, ପୂର୍ଣ୍ଣଚନ୍ଦ୍ର ଏବଂ ଭୀମଙ୍କ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଏକ ମାମଲାକୁ ନେଇ ଅଶାନ୍ତି ଲାଗି ରହୁଥିଲା। ଗତ ୧୩ ତାରିଖରେ ପୂର୍ଣ୍ଣଚନ୍ଦ୍ର କୋର୍ଟକୁ ଆସୁଥିଲେ। ଭୀମ ମଧ୍ୟ କୋର୍ଟକୁ ଆସିବାର ଥିଲା। ଏହା ଜାଣି ଭୀମ ତାଙ୍କ ୩ ସହଯୋଗୀଙ୍କ ସହ ଗାଁରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ପିଛା କରିଥିଲେ। ଗୋଲା ଚଣ୍ଡୀପଦର- ରେଗିଡି ଛକ ମଧ୍ୟରେ ଥିବା ଏକ ନିଛାଟିଆ ସ୍ଥାନରେ ଭୀମ ଓ ତାଙ୍କ ସହଯୋଗୀମାନେ ପୂର୍ଣ୍ଣଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଘେରିଯାଇ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଥିଲେ।

Share