ବିକାଶ ନାଁରେ ଚାଲିଛି ହରିଲୁଟ

ନୂଆଗାଁ,୧୫।୧୨ (ଧନେଶ୍ୱର ସାହୁ): ପ୍ରତି ପଞ୍ଚାୟତ ଓ ଗାଁର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଅନୁଦାନ ଦେଉଛନ୍ତି। କିନ୍ତୁ ତାହାକୁ ଠିକ୍‌ ଭାବେ ବିନିଯୋଗ ନ କରି ଅସତ୍‌ ଉପାୟରେ ତାହା ହରିଲୁଟ୍‌ ହେଉଛି । ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏପରି ଚାଲିଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ନୂଆଗାଁ ବ୍ଲକର ସଚେତନ ନାଗରିକ ଜିଲାପାଳ ଓ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ନୂଆଗାଁ ବ୍ଲକ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ବିଜୁ ଯୁବ ଭବନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଚଳିତ ବର୍ଷ ମେ ୨୫ ରେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ୧୨ ଜଣ ବିଧାୟକ ଓ ନୟାଗଡ଼ ଜିଲାପାଳଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି । ବିଜୁ ଯୁବ ଭବନ ନିକଟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନରେ ବ୍ଲକସ୍ତରୀୟ ଯୁବ ଉଦ୍ୟୋଗ ଭବନ ନିର୍ମାଣ କରିବା ନିମନ୍ତେ ଏକ ଫଳକ ତିଆରି ହୋଇଛି । ତେବେ ସେହି ଫଳକରେ ଲେଖାଥିବା ସୂଚନା ନୂଆଗାଁ ବ୍ଲକର ଦୁର୍ନୀତିକୁ ପଦାରେ ପକାଇଛି । କୌଣସି କାର୍ଯ୍ୟ ଆରମ୍ଭ ନ ହୋଇ ନଭେମ୍ବର ୧୬ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦର୍ଶାଯାଇଛି । ଏ ବାବଦରେ ନୂଆଗାଁ ବ୍ଲକ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ବର୍ତ୍ତମାନ ସୁଦ୍ଧା ତହସିଲଦାର ଜାଗା ଚିହ୍ନଟ କରି ନ ଥିବା କହିଛନ୍ତି। ସେହିଭଳି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତରିକରଣ ପାଇଁ ସରକାର ୨୫ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ସେଠାରେ ନିମ୍ନମାନର କାର୍ଯ୍ୟ ହେଉଛି । ଅନୁରୂପ ଭାବେ ବ୍ଲକ ଛକରେ ଯାତ୍ରୀ ବିଶ୍ରାମାଗାର ମରାମତି କରିବା ପାଇଁ ୭୫ ହଜାର ଟଙ୍କା ଦିଆଯାଇଥିବା ବେଳେ ସେଥିରୁ ଅଳ୍ପ କିଛି ଖର୍ଚ୍ଚରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ନେଇ ନୂଆଗାଁ ବ୍ଲକର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଚାହାଳି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଅନେକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଜଣେ ଜନ ପ୍ରତିନିଧି କ୍ଷୋଭର ସହ କହିଛନ୍ତି। ଅନାବଶ୍ୟକ ସ୍ଥାନରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସୂଚନା ଫଳକ ନିର୍ମାଣ ହୋଇଥିଲେ ମଧ୍ୟ ସଂପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଜାଣି ନ ଥିବା କହିଛନ୍ତି। ତେବେ ସୂଚନା ଫଳକରୁ ଦୁର୍ନୀତି ପାଇଁ ପ୍ରୟାସ ଚାଲିଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଏ ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।