ବରିଷ୍ଠ ନାଗରିକଙ୍କ ବିନା ବିକାଶ ଅସମ୍ଭବ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୯।୮: ଝାରସୁଗଡ଼ା ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲା ହୋଇଥିବା ବେଳେ ଏହାର ବିକାଶଧାରା ଜାରି ରହିଛି । ଝାରସୁଗୁଡାର ନୂତନ ନିର୍ମାଣରେ ବିମାନ ବନ୍ଦର, ରେଳ ଜଙ୍କସନ ଆଦି ରହିଥିବା ବେଳେ ହାର୍ଟ ହସ୍ପିଟାଲ, ମେଡିକାଲ୍‌ କଲେଜ ଆଦି ଅନୁଷ୍ଠାନ ଏଥିରେ ଯୋଡିହେବାକୁ ଯାଉଛି । ଆଗାମୀ ଦିନରେ ବରିଷ୍ଠ ନାଗରିକଙ୍କ ବିନା ଝାରସୁଗୁଡାର ବିକାଶ ଅସମ୍ଭବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ।

ସେ କହିଛନ୍ତି, ବରିଷ୍ଠ ନାଗରିକଙ୍କୁ ସରକାର ଅଧିକ ଗୁରୁତ୍ୱଦେଇ ତାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂଘର କାର୍ଯ୍ୟାଳୟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯିବ। ଏନେଇ ଜିଲାପାଳଙ୍କ ନିକଟରେ ସଂଘ ଆବେଦନ କରିବା ପାଇଁ ମନ୍ତ୍ରୀ ଦାସ କହିଛନ୍ତି। ଏହି ଅବସରରେ ସହରର ମୁଖ୍ୟମାର୍ଗରେ ଥିବା ଏକ ହୋଟେଲରେ ସୋମବାର ସଂଘ ସଭାପତି ବାଳଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଘର ୧୫ତମ ପ୍ରତିଷ୍ଠା ଉତୟ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ବେଲପାହାଡ ଟାଟାକ୍ରୋସାକୀ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡା. ଟିକେ ଦାଶ, ସମ୍ମାନିତ ଅତିଥି ଭାବେ ଜିଲାପାଳ ସରୋଜ କୁମାର ସାମଲ, ଅତିରିକ୍ତ ଏସ୍‌ପି ଲମ୍ବୋଦର ବୁଡା, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସଭାପତି ଟହଲୁ ସାହୁ, ସଂଘ ସମ୍ପାଦକ ତୁଳାରାମ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ। ସଙ୍ଘ ଉପସଭାପତି ନରହରି ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ସ୍ବାସ୍ଥ୍ୟମନ୍ତ୍ରୀ ଦାସ ବରିଷ୍ଠ ଡାକ୍ତର ଶଖାରାମ ଦୂବେ ଓ ବାୟୋଟେକ୍ନୋଲୋଜି ଓଜେଇଇରେ ରାଜ୍ୟ ଟପ୍ପର ହୋଇଥିବା ଝାରସୁଗୁଡା ପୁରୁଣାବସ୍ତିର ଛାତ୍ରୀ ଶୁଭଶ୍ରୀ ହୋତାଙ୍କୁ ଉତ୍ତୋରୀୟ ପ୍ରଦାନ କରି ଝାରସୁଗୁଡା ସମ୍ମାନରେ ସମ୍ନାନିତ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ଶତାଧିକ ମହିଳା ଓ ପୁରୁଷ ସଦସ୍ୟା ସଦସ୍ୟ ଯୋଗ ଦେଇଥିଲେ ।