ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୨: ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରରେ ଜିଲା ବିଜ୍ଞାନ କେନ୍ଦ୍ର, ରାୟଗଡ଼ାରେ ପ୍ଲାନେଟାରିୟମ, କେନ୍ଦୁଝର ଜିଲା ଘଟଗାଁରେ ଜିଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ,ମୟୂରଭଞ୍ଜ ଜିଲା ବାରିପଦାଠାରେ ଜିଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ଉଦ୍‌ଘାଟନ କରିଛନ୍ତି। ଏଥିସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଗଜପତି, ନୂଆପଡ଼ା ଏବଂ ଜଗତ୍‌ସିଂହପୁର ଜିଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢ଼ିଥାଏ। ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। ୫-ଟି ସ୍କୁଲ ରୂପାନ୍ତରଣରେ ଆଜି ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ- ଲାଇବ୍ରେରି, ମଡର୍ନ ଲାବୋରେଟୋରି ଆଦି ବିକାଶ କରାଯାଇଛି। ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଷୟିକ ଜ୍ଞାନକୌଶଳ ବ୍ୟବହାରରେ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତି ଜିଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପ୍ଲାନେଟାରିୟମ ତଥା ସ୍କୁଲଗୁଡ଼ିକରେ ଇନୋଭେଶନ ସେଣ୍ଟର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଭଦ୍ରକରେ ବିଜ୍ଞାନ କେନ୍ଦ୍ର ଏବଂ ବଲାଙ୍ଗୀର, ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲାରେ ବିଜ୍ଞାନ କେନ୍ଦ୍ର ସହିତ ପ୍ଲାନେଟାରିୟମ ମଧ୍ୟ ଖୋଲାଯିବ। ଏହିସବୁ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମୁଁ ଚାହେଁ ମୋ ରାଜ୍ୟର ପିଲାମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଗରେ ରୁହନ୍ତୁ, ଦକ୍ଷ ହୁଅନ୍ତୁ ଓ ଓଡ଼ିଶାର ସୁନାମ ବୃଦ୍ଧି କରନ୍ତୁ। ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ସମ୍ମିଳିତ ଭାବେ କାମ କରିବା ଲାଗି ଆହ୍ବାନ ଦେଇଛନ୍ତି।

Share