Advertisement

ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ: ଅନ୍ଧାରରେ ୭୭ ଗାଁର ୨ ହଜାର ପରିବାର

ଲାଞ୍ଜିଗଡ଼,୨୦ା୨(ରମେଶ ଚନ୍ଦ୍ର ନାୟକ): ସ୍ବାଧୀନତାର ୭୭ବର୍ଷ ପରେ ବି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇରହିଛି। ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୭୭ ଗାଁର ୨ ହଜାର ପରିବାର ଅନ୍ଧାରରେ ରହିଛନ୍ତି। ସୂଚନା ଅନୁସାରେ ଭଟାଙ୍ଗପଦର ପଞ୍ଚାୟତର ୧୦ ଗ୍ରାମ, ଗୁଣ୍ଡରି ପଞ୍ଚାୟତର ୭, ବେଡାଗାଁ ପଞ୍ଚାୟତର ୭, ଲାଞ୍ଜି ପଞ୍ଚାୟତର ୪, ବନ୍ଧପାରି ପଞ୍ଚାୟତର ୩, ଭୁର୍ତ୍ତିଗଡ଼ ପଞ୍ଚାୟତର ୧୦, କମର୍ଦ୍ଧା ପଞ୍ଚାୟତର ୩, କଦମଗୁଡା ପଞ୍ଚାୟତର ୩, କାନକୁଟୁରୁ ପଞ୍ଚାୟତର ୨, ବେନଗାଁ ପଞ୍ଚାୟତର ୭, ଲାଖବାହିଲି ପଞ୍ଚାୟତର ୧, ମାଳିଯୁବାଙ୍ଗ ପଞ୍ଚାୟତର ୨, ବିଜେପୁର ପଞ୍ଚାୟତର ୩, ତ୍ରିଲୋଚନପୁର ପଞ୍ଚାୟତର ୧୨, ଲାଞ୍ଜିଗଡ ପଞ୍ଚାୟତର ୨, ଛତ୍ରପୁର ପଞ୍ଚାୟତର ୧ ଗୋଟି ଗ୍ରାମ ଅନ୍ଧାରରେ ରହିଛି। ଏଥିମଧ୍ୟରୁ ପ୍ରାୟ ୨୫ରୁ ୩୦ ଗୋଟି ଗାଁରେ ସୌରଚାଳିତ ବିଦ୍ୟୁତ କାର୍ଯ୍ୟକାରୀ ହୋଇଥିବା ସରକାରୀ ତଥ୍ୟରେ କାଗଜପତ୍ର ଦ୍ବାରା ଦର୍ଶାଯାଉଛି।

କିନ୍ତୁ ଏହି ଗାଁ ଗୁଡ଼ିକର ସୋଲାର ବିଦ୍ୟୁତ୍‌ ଲାଇଟ ଠିକ୍‌ଭାବରେ କାର୍ଯ୍ୟକାରୀ ହେଉନହିଁ। କେଉଁଠି ବ୍ୟାଟେରି ନାହିଁ ତ କେଉଁଠି ସୋଲାର ଚାର୍ଜ ମଧ୍ୟ ଠିକ୍‌ ଭାବରେ ରହୁନାହିଁ। ବିଭିନ୍ନ ସ୍ଥାନରେ ସୋଲାର ଲାଇଟ ଖରାପ ହେଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ବ୍ୟବସ୍ଥା ନାହିଁ। ବହୁ ଅଞ୍ଚଳରେ ନାମକୁ ମାତ୍ର ସୋଲାର ଲାଗିଛି । ସେହିପରି ୧୦ ଗୋଟି ଗ୍ରାମରେ ଟ୍ରାନ୍ସଫର୍ମର ବସି ତାର ମଧ୍ୟ ଟଣାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ବିଜୁଳି ସଂଯୋଗ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଦୁର୍ଗମ ଅଞ୍ଚଳବାସୀଙ୍କୁ ବିଜୁଳି ମିଳିବା ସ୍ବପ୍ନ ପାଲଟିଛି। ଫଳରେ ଲୋକେ ଭାଗ୍ୟକୁ ଆଦରି ଡିବିରି ଆଲୁଅରେ ଜୀବନ ଅତିବାହିତ କରୁଛନ୍ତି। ବର୍ଷାଦିନେ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ ହୋଇପଡ଼େ। ବିଭିନ୍ନ ସ୍ଥାନକୁ ରାସ୍ତା ନ ଥିବାବେଳେ ରାତିରେ ଆଲୁଅ ନ ଥିବା ଯୋଗୁ ଅନ୍ଧାରରେ ନିଜର ଭିଟାମାଟିରେ ଭାଗ୍ୟକୁ ଆଦରି ପଡ଼ି ରହିଥାନ୍ତି। ନିର୍ବାଚନ ଆସିଲେ ରାଜନେତାମାନେ ବିଦ୍ୟୁତ୍‌ ସଂଯୋଗ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତଉଥିବାବେଳେ ନିର୍ବାଚନ ସରିଲେ ସେମାନଙ୍କ କଥା ଭୁଲି ଯାଆନ୍ତି। ନୂତନ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share