ମୁମ୍ବାଇ,୧୯ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୯ ଜାନୁୟାରୀରେ କଶ୍ମୀରର ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା ଉଡାଇଥିଲେ । କଶ୍ମୀରରେ ତ୍ରିରଙ୍ଗା ଉଡାଇବାକୁ ନେଇ ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ପରିହାସ କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ କଶ୍ମୀର ଗଲେ ଓ ତ୍ରିରଙ୍ଗା ଉଡାଇଲେ, ହେଲେ ସେ କଂଗ୍ରେସ ଶାସନ ସମୟରେ ଏମିତି କରିପାରି ନ ଥିଲେ, କାରଣ ଏହା ସେବେ ସମ୍ଭବ ହେଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଧାରା ୩୭୦କୁ ହଟାଇ ଦେଲେ ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ଦୀର୍ଘ ୫ ମାସର ଲମ୍ବା ଭାରତ ଯୋଡୋ ଯାତ୍ରା ପରେ ଲାଲ ଚୌକରେ ତ୍ରିରଙ୍ଗା ଉଡାଇଥିଲେ । ସେପ୍ଟେମ୍ବର ୭ ୨୦୨୨ରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ ବାହାରି ୫ ମାସ ପରେ ୩୦ଜାନୁୟାରୀରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶେଷ ହୋଇଥିଲା । ଯାତ୍ରା ଶେଷ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୯ ଜାନୁୟାରୀରେ ରାହୁଲ ଲାଲ ଚୌକରେ ତ୍ରିରଙ୍ଗା ଉଡାଇଥିଲେ ।