ପୁଣେ,୨୩।୩: ମହାରାଷ୍ଟ୍ରରେ ଗୁରୁବାର ଏକ ରୋଚକ ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନ ଭବନରେ ଏକାଠି ନଜର ଆସିଥିଲେ। ଏହି ସାକ୍ଷାତ ପରେ ଉଦ୍ଧବ ଠାକରେ କହିଛନ୍ତି, ଆମେ ବିଧାନ ଭବନର ଗେଟ୍ ପାଖରେ ଭେଟିଥିଲୁ ଏବଂ ପରସ୍ପରକୁ ସାଧାରଣ ଭାବରେ ଅଭିବାଦନ ଜଣାଇଥିଲୁ। ପୂର୍ବରୁ ରାଜନୀତିରେ ଖୋଲାପଣ ଥିଲା। କିନ୍ତୁ ବର୍ତ୍ତମାନ କେବଳ ରୁଦ୍ଧ ଦ୍ୱାର ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ତେଣୁ ଯଦି ଆମ ମଧ୍ୟରେ କୌଣସି ରୁଦ୍ଧଦ୍ୱାର ବୈଠକ ହୁଏ, ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ ଜଣାଇବି। ଏହି ସମୟରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ।
ଫଡନଭିସ୍ ଏବଂ ଉଦ୍ଧବ ବିଧାନ ପରିଷଦ ସଦସ୍ୟ (ଏମଏଲସି) ମରାଠୀ ଭାଷା ବିଭାଗର ବୈଠକରେ ଯୋଗଦେବାକୁ ଆସିଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପରେ ଅବିଭାଜିତ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ସେହି ଦିନଠାରୁ ଫଡନଭିସ ଏବଂ ଠାକରେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଉଭୟ ପରସ୍ପର ଉପରେ ଦୋଷାରୋପ କରିବାକୁ ଆଦୌ ଭୁଲନ୍ତି ନାହିଁ। ଏଭଳି ପରିସ୍ଥିତିରେ ଉଭୟେ ଏକାଠି ନଜର ଆସିବା ପରେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।