ଭୁବନେଶ୍ୱର, ୭।୬(ବ୍ୟୁରୋ)- ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବଦ୍ଧ ଦନ୍ତା। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏ ନେଇ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି। ବିଧାୟକ ମିଶ୍ର ଏକ ଆହତ ଦନ୍ତା ହାତୀର ୩ ଟି ଫଟୋ ମଧ୍ୟ ପୋଷ୍ଟ କରି ସେ ଗୁଳିବଦ୍ଧ ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଜଙ୍ଗଲ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଆହତ ହାତୀ ବିଷୟରେ ଅବଗତ କରାଇଥିବା ଏବଂ ଯଥାଶୀଘ୍ର ନନ୍ଦନକାନନରୁ ବିଶେଷଜ୍ଞ ପ୍ରାଣୀ ଡାକ୍ତର ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଖାଲି ସେତିକି ନୁହେଁ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ବିଧାୟକ ଅଫିସରମାନଙ୍କ ସ୍ତରରେ ଯାହା କିଛି ସମ୍ଭବ ହେଇପାରିବ ସେ ସବୁ ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ବଡ଼ମ୍ବା ବିଧାୟକଙ୍କର ଏହି ଫେସବୁକ ପୋଷ୍ଟ ପରେ ଘଟଣା ଏବେ ଚାରିଆଡ଼େ ବ୍ୟାପିଯାଇଛି। ଏଥିସହିତ ଆଠଗଡ଼ ବନଖଣ୍ଡ ପୁଣି ଲଜ୍ଜିତ ହୋଇଛି। ବାରମ୍ବାର ହାତୀ ଶିକାର ଘଟଣା ଆଠଗଡ଼ ବନଖଣ୍ଡର ନିଷ୍କ୍ରିୟତାକୁ ପଦାରେ ପକାଉଛି। ଏ ନେଇ ପିସିସିଏଫ୍ ବନ୍ୟପ୍ରାଣୀ ଶଶୀ ପଲ କହିଛନ୍ତି, ହାତୀର ଚିକିତ୍ସା ପାଇଁ ଏକ ଟିମ୍ ଗଠନ ହୋଇଛି। ତେବେ ଗୁଳି ବାଜିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।