ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳୁ

ପୁରୀ ଅଫିସ, ୨୪।୩: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦାବିରେ ‘ଉର୍ଜାବାନ ଓଡ଼ିଶା’ ପକ୍ଷରୁ ବୁଧବାର ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ କମିଥିବାରୁ ବିନା କୋଭିଡ୍‌ ରିପୋର୍ଟରେ ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେବେ ଏଥିଯୋଗୁ ବଡ଼ଦାଣ୍ଡଠାରୁ ଆରମ୍ଭ କରି ସିଂହଦ୍ୱାର ସମ୍ମୁଖରେ ଦିନକୁ ଦିନ ଭକ୍ତଙ୍କ ଗହଳି ବଢିବା ସହ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡ଼ୁଛି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଲୋକେ ଯାତାୟତ ନେଇ ହଇରାଣ ହେଉଛନ୍ତି। ଯଦି ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ତା’ହାଲେ ଏହିସବୁ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି। ତେଣୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ ସମୟରେ ‘ଉର୍ଜାବାନ ଓଡ଼ିଶା’ ସଭାପତି ସନ୍ତୋଷ କୁମାର ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ଦେବେନ୍ଦ୍ର ସୁବୁଦ୍ଧି, ଗଜେନ୍ଦ୍ର ସେନାପତି ଏବଂ ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଛତିଶା ନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବା ନେଇ ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ‘ଉର୍ଜାବାନ ଓଡ଼ିଶା’ ପକ୍ଷରୁ କୁହାଯାଇଛି।

Share