ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ ରବିବାରଠାରୁ ଆରମ୍ଭ ହେଉଛି ବାସନ୍ତିକ ଦୁର୍ଗାପୂଜା (ଚୈତ୍ର ପର୍ବ)। ହେଲେ ଜିଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୈତ୍ର ପର୍ବରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ନେଇ କଟକଣା ଲାଗୁ ହୋଇଛି ।
ଶନିବାର ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଏହି ପର୍ବରେ କେବଳ ପୂଜକ ମନ୍ଦିର ଭିତରକୁ ପ୍ରବେଶ କରି ଯଥା ରୀତିନୀତିରେ ପୂଜାର୍ଚ୍ଚନା କରି ପାରିବେ। କୌଣସି ଭକ୍ତ ମନ୍ଦିର ପ୍ରବେଶ କରି ପାରିବେ ନାହିଁ। ସେହିପରି ମନ୍ଦିର ପରିସର କିମ୍ବା ବାହାରେ ପ୍ରସାଦ ବଣ୍ଟନ ମଧ୍ୟ ହୋଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସୂଚାଇ ଦିଆଯାଇଛି। ଏହାର ଖିଲାପ କଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରି ଦିଆଯାଇଛି।