ସୁନାମୁହିଁ ଘାଟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ନିଆଳି, ୭।୨(ଡି.ଏନ୍‌.ଏ.): ପବିତ୍ର ମାଘସପ୍ତମୀରେ ପ୍ରାଚୀନଦୀର ସୁନାମୁହିଁ ଘାଟରେ ବୁଡ଼ ପକାଇ ବାବା ଶୋଭନେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ। ପ୍ରାଚୀନ ପରମ୍ପରା ଅନୁଯାୟୀ ନିଆଳି ଅଞ୍ଚଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ଶୋଭନେଶ୍ୱର ମହାଦେବ ମାଘସପ୍ତମୀରେ ପ୍ରାଚୀନଦୀର ସୁନାମୁହିଁ ଘାଟରେ ସ୍ନାନ କରନ୍ତି। ଏହି ଅବସରରେ ଷଷ୍ଠୀ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଶୋଭନେଶ୍ୱର ମହାଦେବଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ଉମାଙ୍କୁ ଏକ ସୁସଜ୍ଜିତ ବିମାନରେ ଉପବିସନ କରାଯାଇ ମନ୍ଦିର ପରିକ୍ରମା କରାଯିବା ପରେ ସୁନାମୁହିଁ ଘାଟକୁ ଯାତ୍ରା କରିଥିଲେ। ଘଣ୍ଟଘଣ୍ଟା ଆତସବାଜି ଓ ମାଦଳ ଏବଂ ଢୋଲମହୁରିର ତାଳେ ତାଳେ ବାଡ଼ି, ଲଉଡ଼ି ଓ ବନାଟି ଖେଳ ମାଧ୍ୟମରେ ଶ୍ରଦ୍ଧାଳୁମାନେ ହରିବୋଲ ଧ୍ୱନିରେ ପାଛୋଟି ନେଇଥିଲେ। ସୁନାମୁହିଁଘାଟକୁ ସେଠାରେ ସୁସଜ୍ଜିତ ସ୍ବତନ୍ତ୍ର ମଣ୍ଡପରେ ଠାକୁରଙ୍କୁ ସ୍ଥାପନ କରାଯାଇଥିଲା। ଏହାପରେ ରାତ୍ରି ବ୍ୟାପୀ ଭଜନ କୀର୍ତ୍ତନ ଆଦି କରାଯାଇଥିଲା। ପ୍ରାତଃକାଳରୁ ଚନ୍ଦ୍ରଶେଖର ଓ ଉମାଙ୍କୁ ଏହି ତୀର୍ଥକ୍ଷେତ୍ରରେ ପ୍ରଥମେ ବୁଡ ପକାଯିବା ପରେ ଶ୍ରଦ୍ଧାଳୁମାନେ ବୁଡପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେଇ ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଲୋକକଥାରୁ ଶୁଣାଯାଏ ଯେ, ଏହି ଦିନ ଏଠାରେ ବୁଡ଼ପକାଇ ମହାଦେବଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହ ପାପମୋଚନ, ରୋଗ ନିବାରଣ ଓ ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ। ସେହିପରି ସପ୍ତମୀ ସନ୍ଧ୍ୟାରେ ସୁନାମୁହିଁ ଘାଟରୁ ମହାଦେବଙ୍କୁ ପୂର୍ବପରି ଶେଭାଯାତ୍ରାରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଛି।

Share