ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ ଅଫିସ, ୨୯।୧୦(ଅଜିତ୍‌ ମହାନ୍ତି) : ଶ୍ରୀମନ୍ଦିରକୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହେବା ପରେ ବର୍ତ୍ତମାନ ଭକ୍ତମାନଙ୍କୁ ଏନେଇ ସଚେତନତା କରାଯାଉଛି। ଏହି ନିୟମ ଆସନ୍ତାବର୍ଷ ଜାନୁୟାରୀରୁ କଡ଼ାକଡ଼ି ପାଳନ କରାଯିବ। ତେବେ ରବିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କେତେକ ବ୍ୟକ୍ତି ହାଫ୍‌ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ପରିସରକୁ ଯାଉଥିବା ଭକ୍ତମାନଙ୍କୁ କିଛି ସେବାୟତ ଧୋତି ପିନ୍ଧାଇ ସଚେତନ କରୁଥିବା ଦେଖିବାକୁ ମିଳିଛି। ସେହିପରି କେତେକ ଭକ୍ତ ଶର୍ଟ ପ୍ୟାଣ୍ଟ ଓ ଟି ଶାର୍ଟ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାର ନିକଟରେ ଅଟକାଇ ତାଙ୍କୁ ଧୋତି ପିନ୍ଧାଇଥିଲେ। ଶ୍ରୀମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ପୋଷାକ ଶାଳୀନତା ଉପରେ ସଚେତନ କରିବା ଘଟଣାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସୂଚନା ଅନୁସାରେ, ୨ ଜଣ ଯୁବକ ହାଫ୍‌ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାବେଳେ ସେଠାରେ ଉପସ୍ଥିତ ଜଗନ୍ନାଥ ମନ୍ଦିର ପୋଲିସ, ସେବାୟତ ତାଙ୍କୁ ଅଟକାଇଥିଲେ। ପରେ ୨ଟି ଧୋତି ଅଣାଯାଇ ସେବାୟତମାନେ ସେହି ଯୁବକମାନଙ୍କୁ ପିନ୍ଧାଇଥିବା ଦେଖିବାକୁ ମିଳିଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ମହିଳାମାନେ ସାଲଓ୍ବାର, ଶାଢ଼ି ଆଦି ବସ୍ତ୍ର ପରିଧାନ କରିବାକୁ କୁହାଯାଉଛି। ଦେହ ସମ୍ପୂର୍ଣ୍ଣ ଘୋଡାଇ ହୋଇ ରହୁଥିବା ଭଳି ଡ୍ରେସ ପିନ୍ଧିବାକୁ ନିୟମ ହୋଇଛି। ସେହିପରି ପୁରୁଷମାନେ ଫୁଲ ପ୍ୟାଣ୍ଟ, ଶାର୍ଟ, ପଞ୍ଜାବୀ ଅବା ପାରମ୍ପରିକ ଡ୍ରେସ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଅପରପକ୍ଷରେ କିଛି ସାମାଜିକ ଅନୁଷ୍ଠାନ ମଧ୍ୟ ଭକ୍ତମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିର ନିକଟରେ ‘ବଡଦାଣ୍ଡ ସେବା’ ସଂଗଠନ ତରଫରୁ ରବିବାର ଧୋତି ସେବା କାର୍ଯ୍ୟ ଆରମ୍ଭ କରାଯାଇଛି । ‘ବଡଦାଣ୍ଡ ସେବା’ର ସୂର୍ଯ୍ୟକାନ୍ତ ନାୟକ, ଆଲୋକ ବାରିକ୍‌, ଜଗନ୍ନାଥ ପାଢ଼ୀ ଏହି କାର୍ଯ୍ୟକୁ ତୁଲାଇଥିଲେ।

Share