ଫେସ୍‌ବୁକ୍‌ ଲାଇଭ୍‌ରେ ସମଲେଇଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର,୨୩।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ  ନୂଆ ଖାଇବା ପରେ ବିଭନ୍ନ ଦେବୀଦେବଙ୍କୁ ଲୋକେ ଦର୍ଶନ କରିଥାନ୍ତି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ ଶ୍ରଦ୍ଧାଳୁ କରିଥାନ୍ତି ।

ହେଲେ କରୋନା କଟକଣା ଯୋଗୁ ଚଳିତ ବର୍ଷ ସାଧାରଣ ଦର୍ଶନ ଉପରେ ରୋକ୍‌ ଲଗାଯାଇଛି। ହେଲେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଦିନ ଫେସବୁକ୍‌ ଲାଇଭ ଜରିଆରେ ଭକ୍ତମାନେ ଅନ୍‌ଲାଇନ ଦର୍ଶନ କରିବାର ସୁବିଧା କରାଯାଇଛି ବୋଲି ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ କହିଛନ୍ତି ।

ସେ କହିଛନ୍ତି, ଚଳିତ ବର୍ଷ ଭକ୍ତମାନେ ଫେସ୍‌ବୁକ୍‌ ଲାଇଭରେ ଦର୍ଶନ କରି ପାରିବେ। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପେଜ୍‌ କିମ୍ବା କୋଡ୍‌କୁ ଯାଇ କେବଳ ରାଜ୍ୟ ନୁହେଁ, ଦେଶବିଦେଶର ଭକ୍ତ ମଧ୍ୟ ସମଲେଶ୍ୱରୀଙ୍କ ଦର୍ଶନ କରି ପାରିବେ। ତେବେ ମା’ଙ୍କ ଗୁପ୍ତ ପୂଜାକୁ ଲାଇଭ ଦର୍ଶନରୁ ବାଦ୍‌ ଦିଆଯିବ ।

ମା’ଙ୍କ ପୂଜା, ଆଳତି, ୧୧୫ ପାର୍ଶ୍ୱ ଦେବୀଦେବଙ୍କ ପୂଜା ଆଦି ନୂଆଁଖାଇ ଦିନ ସବୁ ଲାଇଭରେ ଉପଲବ୍ଧ ହେବ। ପୂର୍ବାହ୍ନ ୯ଟା ୧୫ରୁ ଲାଇଭ୍‌ ଆରମ୍ଭ ହେବ। ସମଲେଶ୍ୱରୀ ମନ୍ଦିର ପରିସରରେ ନୂଆଁଖାଇ ଦିନ କୌଣସି ଭକ୍ତଙ୍କଠାରୁ ପୂଜା ଭୋଗ ନିଆଯିବ ନାହିଁ । ତେଣୁ ଘରେ ଥାଇ ସମସ୍ତେ ମାଙ୍କ ଦର୍ଶନ କରନ୍ତୁ ବୋଲି ସଭାପତି ବାବୁ ଅନୁରୋଧ କରିଛନ୍ତି।

Share