ଭକ୍ତମୟ ଆଖଣ୍ଡଳମଣି ପୀଠ

ଆରଡି, ୨।୩(ଡି.ଏନ.ଏ.)

ଭଦ୍ରକ ଜିଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ଭିଡ଼ ହୋଇଥିଲା। ମଙ୍ଗଳବାର ଭୋର ୪ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା ା ସାଢେ ୪ଟାରେ ବାବାଙ୍କ ସ୍ନାନକୃତ୍ୟ ସମ୍ପନ୍ନ ପରେ କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି କରାଯାଇଥିଲା। ୫ଟାରେ ସାହାଣ ମେଲା କରାଯାଇ ଭକ୍ତଙ୍କୁ ଦିଗମ୍ବର ବେଶ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା। ବିଧି ଅନୁସାରେ ସକାଳ ଠାରୁ ରାତ୍ର ଯାଏ ବାବାଙ୍କୁ ଘର୍ଷଣ ଲାଗି କରାଯାଇଥିଲା ା ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ହୋଇଥିଲା ା
କଟକଣା ପାଇଁ ପୀଠରେ ୧୪୪ ଧାରା ବୁଧବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଜିଲା ପ୍ରଶାସନ ଘୋଷଣା କରିଥିଲା। ସ୍ବଳ୍ପ ସଂଖ୍ୟକ ପୋଲିସ ପୀଠରେ ମୁତୟନ କରାଯାଇଥିଲା। ଏହାର ସୁଯୋଗ ନେଇ ପୀଠକୁ ଶହଶହ ଭକ୍ତଙ୍କର ସୁଅ ଛୁଟିଥିଲା। ଆରଡି ଓ କୁଳେଇପଦା ମଧ୍ୟରେ ପୋଲିସ ବହୁ ଗାଡି ଅଟକାଇ ଥିଲେ ବି ସଂଖ୍ୟାଧିକ ଭକ୍ତ ପୀଠ ମଧ୍ୟକୁ ପ୍ରବେଶ କରିଥିଲେ। ଭକ୍ତମାନେ ପୀଠରେ ପ୍ରବେଶ କରିବା ସହ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପୀଠକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ଭଦ୍ରକ ସତ୍ୟସାଇ ସେବା ସଂଗଠନ, ଭଦ୍ରଜ ଜିଲା ରକ୍ତ ସଂଗଠନ, ବାବାମଣି ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଆଦି ସ୍ବେଚ୍ଛାସେବୀ ସଂଗଠନ ସେବା ଯୋଗାଇ ଦେଇଥିଲେ। ଅପରାହ୍ନରେ ୪ ପଞ୍ଚାୟତ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁଙ୍କୁ ପୀଠକୁ ଛଡା ଯାଇ ନ ଥିଲା। ରାତିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଶିବଗଙ୍ଗା ପୁଷ୍କରିଣୀ ପାର୍ଶ୍ୱରେ ଦୀପ ଜାଳି ଉଜାଗର ରହିଥିଲେ ା ରାତି ୧୧ ଟାରେ ସେବାୟତଙ୍କ ତରଫରୁ ୧୦୮ କଳସ ଜଳ ଲାଗି କରାଯାଇଥିଲା। ରାତି ୧୨ଟାରେ ମଣିବାବାଙ୍କର ସୁନାବେଶ ଆରମ୍ଭ ହୋଇଥିଲା ା ଏହି ସମୟରେ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଥିଲା ା ରାତ୍ର ୧.୩୦ରେ ସୁନାବେଶ ସମ୍ପନ୍ନ ହେବା ସହ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ରାତି ୩.୧୫ ମିନିଟରେ ମହାଦୀପ ପୂଜା ହେବା ସହ ୪ଟାରେ ବେଢା ପରିକ୍ରମା କରିବ। ଭୋର ୪.୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା ା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସହ ପରିଚାଳକ ସୁଧାକର ବିଶ୍ୱାଳ, ଜିଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ ପୀଠରେ ଉପସ୍ଥିତ ଥିଲେ ା ଧାମନଗର ଏସଡିପିଓ ବିଜୟ ମହାପାତ୍ର, ଧୂଷୁରୀ ଥାନାଧିକାରୀ ପ୍ରକାଶ ପୃଷ୍ଟି, ସବଇନ୍ସପେକ୍ଟର ମହାପ୍ରସାଦ ନାୟକ, ଆରଡି ଫାଣ୍ଡି ଅଧିକାରୀ ବୈଦ୍ୟନାଥ ସୋରେନ ପୀଠରେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ସହ ଜାଗର ମହୋତ୍ସବ ଶେଷ ହୋଇଥିବାରୁ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି।

Share