କୋଭିଡ୍‌ ଚିକିତ୍ସା ଲାଗି ଡେକ୍ସାମିଥାସୋନ୍‌କୁ ଅନୁମତି

ନୂଆଦିଲ୍ଲୀ,୨୮ା୬(ପି.ଟି.): ବହୁଳ ଭାବେ ବ୍ୟବହୃତ ହେଉଥିବା ଅପେକ୍ଷାକୃତ ଶସ୍ତା ଔଷଧ ଷ୍ଟେରଏଡ୍‌ ଡେକ୍ସାମିଥାସୋନ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଅନୁମତି ଦେଇଛି। ଅନ୍ୟାନ୍ୟ ଚିକିତ୍ସା ସହିତ ଏହାକୁ ମଧ୍ୟମରୁ ଗୁରୁତର ଅସୁସ୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ମିଥାଇଲପ୍ରିଡ୍‌ନିସୋଲୋନର ବିକଳ୍ପ ଭାବେ ଡେକ୍ସାମିଥାସୋନ୍‌କୁ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ସଦ୍ୟ ଉପଲବ୍ଧ ପ୍ରମାଣ ଏବଂ ବିଶେଷଜ୍ଞମାନଙ୍କ ପରାମର୍ଶକୁ ବିଚାରକୁ ନେଇ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସାଧାରଣତଃ ଡେକ୍ସାମିଥାସୋନ୍‌କୁ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ଜୁନ୍‌ ୧୩ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଣ୍ଟିଭାଇରାଲ ଔଷଧ ରେମଡେସିଭିର୍‌କୁ କରୋନା ଚିକିତ୍ସାରେ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଦେବାକୁ ମଧ୍ୟ ମନ୍ତ୍ରଣାଳୟ ସୁପାରିସ କରିଥିଲା। ତେବେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏହି ଔଷଧ ନ ଦେବା ପାଇଁ କୁହାଯାଇଥିଲା। ସଂଶୋଧିତ ଚିକିତ୍ସା ପ୍ରୋଟୋକଲ ଅନୁଯାୟୀ ମଧ୍ୟମ ଧରଣର କରୋନା ରୋଗୀଙ୍କ ପାଇଁ ମିଥାଇଲପ୍ରିଡ୍‌ନିସୋଲୋନ ୦.୫ରୁ ୧ ମିଲିଗ୍ରାମ/କେଜି କିମ୍ବା ଡେକ୍ସାମିଥାସୋନ୍‌ ୦.୧ରୁ ୦.୨ ମିଲିଗ୍ରାମ/କେଜି ତିନିଦିନ ଦେବା ଲାଗି ପରାମର୍ଶ ଦିଆଯାଉଛି। ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ କିମ୍ବା ଅକ୍ସିଜେନ ଆବଶ୍ୟକତା ଓ ପ୍ରଦାହ ବଢ଼ୁଥିଲେ ଏହି ଔଷଧ ଦେବାକୁ କୁହାଯାଇଛି। ଶ୍ୱାସଜନିତ ସମସ୍ୟା ଥାଇ ମେକାନିକାଲ ଭେଣ୍ଟିଲେଶନ ଆବଶ୍ୟକତା ଥିବା ରୋଗୀଙ୍କ କ୍ଷେତ୍ରରେ ମିଥାଇଲପ୍ରିଡ୍‌ନିସୋଲୋନ ଦିନକୁ ୧ରୁ ୨ ମିଲିଗ୍ରାମ/କେଜି କିମ୍ବା ଡେକ୍ସାମିଥାସୋନ୍‌ ୦.୨ରୁ ୦.୪ ମିଲିଗ୍ରାମ/କେଜି ୫ରୁ ୭ ଦିନ ଦେବାକୁ କୁହାଯାଇଛି।

Share