ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କ ସମ୍ପର୍କ ନାହିଁ : ଏସ୍‌ପି

ପାରଳାଖେମୁଣ୍ଡି,୨୪ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ସୌମ୍ୟଙ୍କୁ ଷଡ଼ଯନ୍ତ୍ର କରି ପୋଡ଼ି ହତ୍ୟା କରାଯାଇଛି ଓ ଏଥିରେ ଡିଏଫ୍‌ଓଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ପ୍ରଥମରୁ ଅଭିଯୋଗ କରି ଆସୁଥିଲେ। ଶୁକ୍ରବାର ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ଚିଟ ଦେଇଛନ୍ତି। ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ସହ ଡିଏଫ୍‌ଓଙ୍କର ସମ୍ପୃକ୍ତି ନାହିଁ। ଏପରିକି ଏସିଏଫ୍‌ଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓ ଯୋଗାଯୋଗ କରୁ ନ ଥିବା କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)ରୁ ଜଣାପଡ଼ିଛି। ସୌମ୍ୟଙ୍କ ରୋଷେୟା ସହ ଡିଏଫ୍‌ଓଙ୍କର କୌଣସି ସମ୍ବନ୍ଧ ନାହିଁ ବୋଲି ସିଡିଆର୍‌ରୁ ଜଣାପଡ଼ିଛି। ପୋଡିହୋଇଥିବା ସୌମ୍ୟଙ୍କୁ ମେଡିକାଲ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଘଟଣାଦିନ ରାତିରେ ଡିଏଫ୍‌ଓ ଆସିଥିଲେ ବୋଲି ଏସ୍‌ପି କହିଛନ୍ତି। ଅନ୍ୟପକ୍ଷରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ହେଉଛନ୍ତି ବିଦ୍ୟାଭରତୀଙ୍କ ଦୂର ସମ୍ପର୍କୀୟା। ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କଠାରୁ ଖବରପାଇ ମାନବିକତା ଦୃଷ୍ଟିରୁ ସେ ସେଠାକୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି ଏସ୍‌ପି କହିଛନ୍ତି।

Share