Advertisement

ଜଙ୍ଗଲ ସୁରକ୍ଷିତ ରଖିବା ପାଇଁ ସହଯୋଗ ଲୋଡ଼ିଲେ ଡିଏଫ୍‌ଓ

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଗୁରୁବାର ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ କଣ୍ଟେଇପଲ୍ଲୀ ଛକରୁ ଏକ ସାଇକେଲ ରାଲି ବାହାରିଥିଲା। ଉକ୍ତ ରାଲିକୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏଥିସହ ସେ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ଏହି ଅବସରରେ ଡିଏଫ୍‌ଓ କହିଥିଲେ ଜଙ୍ଗଲ ହେଉଛି ଆମ ସମସ୍ତଙ୍କର ସମ୍ପତ୍ତି। ଏହାର ସୁରକ୍ଷା କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ପ୍ରଚେଷ୍ଟା ଯୋଗୁ କଣ୍ଟେଇପଲ୍ଲୀ ଜଙ୍ଗଲ ଆଜି ସୁରକ୍ଷିତ ଅଛି। ଅନ୍ୟ ଜଙ୍ଗଲ ମଧ୍ୟ ଏହିଭଳି ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଡିଏଫ୍‌ଓ। ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ପଥପ୍ରାନ୍ତ ନାଟକ, ରାଲି, ପ୍ରଚାରପତ୍ର ପ୍ରମୂଖ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନତା କରାଯାଉଛି ବୋଲି ଡିଏଫ୍‌ଓ ମହାନ୍ତି କହିଥିଲେ। ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‌ ବିବେକ ଦାସ, ରଶ୍ମୀରଞ୍ଜନ ସାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରେଞ୍ଜର ପୃଥିବୀ ରାଜ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରାଲି କଣ୍ଟେଇପଲ୍ଲୀ ଛକରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ଏହାପରେ ଦୀର୍ଘ ୧୫ କିମି ରାଲି ବିଭିନ୍ନ ଗ୍ରାମ ବୁଲିବା ପରେ ଲାଲସିଂ ନର୍ସରୀରେ ତାହା ସରିଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ଶରତ ସାଇଁ, ଜିତୁ ମଲ୍ଲିକ, ଜୀବନ ତ୍ରିପାଠୀ, ଦୀନବନ୍ଧୁ ମିଶ୍ର, ସନ୍ତୋଷ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।