Categories: ବାଣିଜ୍ୟ

କୋଭିଡ୍‌ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୫।୩: ବିମାନଯାତ୍ରୀଙ୍କ ଲାଗି ମାସ୍କ ନିୟମ କଡ଼ାକଡ଼ି କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରାଇବା ଉପରେ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ନିରାପତ୍ତା ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଗାଇଡଲାଇନ ମୁତାବକ ଯେଉଁ ଯାତ୍ରୀ ମାସ୍କ ପିନ୍ଧିବାକୁ ଅଗ୍ରାହ୍ୟ କରିବେ ବିମାନ ଉଡିବା ଆଗରୁ ତାଙ୍କୁ ବିମାନରୁ ବାହାର କରିଦିଆଯିବ। ବାରମ୍ବାର ତାଗିଦ ପରେ ଯଦି ଯାତ୍ରୀ ଏହାକୁ ଧ୍ୟାନ ଦେଉନାହାନ୍ତି ତେବେ ଏହାକୁ ନିୟମ ଉଲ୍ଲଂଘନ ବୋଲି ବିଚାର କରାଯିବ। ଯାତ୍ରୀ ମାସ୍କ ଠିକ୍‌ ଭାବେ ଲଗାଇବେ ଏବଂ ବିମାନ ବନ୍ଦର ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବେ। ସମସ୍ତ ବିମାନ କମ୍ପାନୀଙ୍କୁ ଏ ନେଇ ଅବଗତ କରାଯାଇଛି। ବିମାନ ଯାତ୍ରା ସମୟରେ କୋଭିଡ୍‌-୧୯ ନିୟମକୁ ଯାତ୍ରୀମାନେ ଯେଭଳି ପାଳନ କରନ୍ତି ସେ ନେଇ ସମସ୍ତ ଅଂଶୀଦାର ଧ୍ୟାନ ଦେବାକୁ ଡିଜିସିଏ ଏହାର ସର୍କୁଲାରରେ ସ୍ପଷ୍ଟ କରିଛି। ନିୟମ ପାଳନ କରୁ ନ ଥିବା ଯାତ୍ରୀଙ୍କ ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍କୁଲାରରୁ ଜଣାପଡିଛି।

Share