Categories: ଜାତୀୟ

ଉଡାଣ ପୂର୍ବରୁ ଏୟାରହୋଷ୍ଟେସ୍‌-ପାଇଲଟଙ୍କ ହେବ ଆଲ୍‌କୋହଲ ଟେଷ୍ଟ

ନୂଆଦିଲ୍ଲୀ,୩୦।୩: କରୋନା ମହାମାରୀ ଯୋଗୁ ପ୍ରାୟ ଦୁଇ ବର୍ଷ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ତେବେ ୨ବର୍ଷ ପରେ ପୁଣି ଥରେ ଚଳିତ ସପ୍ତାହରେ ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିଛି। ଏହାପୂର୍ବରୁ ନିୟମିତ ବିଦେଶୀ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯିବା ସହ ଏକ ବବଲ ବ୍ୟବସ୍ଥାରେ କେବଳ କିଛି ଦେଶ ସହିତ ସୀମିତ ବିମାନ ଚଳାଚଳ କରୁଥିଲା। ଇତିମଧ୍ୟରେ ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) କ୍ୟାବିନ କ୍ର୍ୟୁ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ପାଇଲଟ ଏବଂ କ୍ୟାବିନ କ୍ର୍ୟୁର ଅନ୍ୟ ସଦସ୍ୟମାନଙ୍କର ପ୍ରତିଦିନ ଆଲକୋହଲ ଟେଷ୍ଟ କରାଯିବ। ଡିଜିସିଏ ଅନ୍ତର୍ଜାତୀୟ ଉଡାଣ ସହିତ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଓ ମହାମାରୀ ସହ ଜଡ଼ିତ ପରିସ୍ଥିତିରେ ସୁଧାର ଆସିବା ପରେ ବ୍ରେଥ୍‌ ଏନାଲାଇଜର ଗାଇଡ୍‌ଲାଇନ୍ସରେ ସଂଶୋଧନ କରାଯାଇଛି। ମଙ୍ଗଳବାର କରାଯାଇଥିବା ଏହି ପରିବର୍ତ୍ତନରେ ସମସ୍ତ ବିମାନ କମ୍ପାନୀକୁ ସେମାନଙ୍କର ପାଇଲଟ ଏବଂ କ୍ୟାବିନ କ୍ର୍ୟୁ ସଦସ୍ୟଙ୍କ ପ୍ରତ୍ୟେକ ଦିନ ମଦ୍ୟପାନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରୀକ୍ଷଣ ଦ୍ୱାରା ଜଣାପଡ଼ିବ ଯେ, କୌଣସି ପାଇଲଟ କିମ୍ବା କ୍ୟାବିନ କ୍ର୍ୟୁ ସଦସ୍ୟ ମଦ୍ୟପାନ କରିଛନ୍ତି କି ନାହିଁ।

Share