ସକ୍ରିୟ, ସଜାଗ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୮ା୫: ଜୁଲାଇ ୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ୍‌ ୨୯ ତାରିଖରେ ନବଯୌବନ ଦର୍ଶନ, ଜୁଲାଇ ୧ ତାରିଖରେ ରଥଯାତ୍ରା, ୯ରେ ବାହୁଡ଼ା ଯାତ୍ରା, ୧୦ରେ ସୁନାବେଶ ଓ ୧୨ ତାରିଖରେ ନୀଳାଦ୍ରିବିଜେ ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ଏଥିପାଇଁ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିପି ସୁନୀଲ ବଂଶଲ ଅଧ୍ୟକ୍ଷତା କରି ରଥଯାତ୍ରା ପାଇଁ ସକ୍ରିୟ ଓ ଅଧିକ ସଜାଗ ରହିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ବତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ। ସେହିପରି ଆବଶ୍ୟକତା ଅନୁଯାୟୀ ବମ୍‌ ନିଷ୍କ୍ରିୟକାରୀ ଦଳ, ଏଚ୍‌ଏଚ୍‌ଏମ୍‌ଡି, ଡିଏମ୍‌ଏଫ୍‌ଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୋଇନ୍ଦା ସ୍କ୍ବାଡ୍‌ଙ୍କୁ ନିୟୋଜିତ କରାଯିବ। ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସିସିଟିଭି, ଏକ୍ସ-ରେ ବ୍ୟାଗେଜ୍‌ ସ୍କାନର ସ୍ଥାପନ ହେବ। ଟ୍ରାଫିକ୍‌ ସୁପରିଚାଳନା ନିମନ୍ତେ ରୋଡ୍‌ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ୍‌ କୋନ୍ସ ବ୍ୟବସ୍ଥା କରାଯିବ। ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୋଲିସ ଆଉଟ୍‌ପୋଷ୍ଟ ଖୋଲାଯିବ। ଏହି ବୈଠକରେ ସ୍ବତନ୍ତ୍ର ଡିଜିପି (ଯୋଗାଯୋଗ) ଅରୁଣ କୁମାର ରାୟ, ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଡ. ସୁଧାଂଶୁ ଷଡ଼ଙ୍ଗୀ, ଏଡିଜିପି ଆର୍‌. ପି. କୋଚେ, ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ଏଡିଜିି ଅରୁଣ ବୋଥ୍ରା, ଏଡିଜିପି ସଞ୍ଜୟ କୁମାର, ଆଇଜିପି ଅମିତାଭ ଠାକୁର, ଆଇଜିପି ଏସ୍‌. ଦେବଦତ୍ତ ସିଂ, ଆଇଜିପି ଏସ୍‌. ପ୍ରବୀଣ କୁମାର, ଆଇଜିପି ନରସିଂହ ଭୋଳ, ଆଇଜିପି ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଜୟନାରାୟଣ ପଙ୍କଜ, ଡିଆଇଜିପି ଅନିରୁଦ୍ଧ କୁମାର ସିଂ, ଡିଆଇଜିପି ଅନୁପ କୁମାର ସାହୁ ଓ ପୁରୀ ଏସ୍‌ପି କନୱର ବିଶାଲ ସିଂ ଉପସ୍ଥିତ ଥିଲେ।

Share