Categories: ଜାତୀୟ

ଚିଟ୍‌ଫଣ୍ଡ ମାମଲାରେ ଯେଉଁ ଆଇପିଏସ୍‌ଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ, ମମତା ତାଙ୍କୁ କଲେ ଡିଜିପି

କୋଲକାତା,୨୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ସମୟରେ ରାଜୀବ କୋଲକାତା ପୋଲିସ କମିଶନର ଭାବେ ନିଯୁକ୍ତ ଥିଲେ। ସେତେବେଳେ ସେ ଅନେକ ବିବାଦରେ ଛନ୍ଦି ହୋଇଥିଲେ। ଚିଟଫଣ୍ଡ ମାମଲାରେ ସିବିଆଇ ରାଜୀବଙ୍କ ଆବାସରେ ଚଢ଼ାଉ କରିବାକୁ ପହଞ୍ଚିଥିଲା। ଏନେଇ ସିଏମ୍‌ ମମତା ଜାଣିବା ପରେ ଧାରଣାରେ ବସିଥିଲେ। ଏବେ ସେହି ରାଜୀବଙ୍କୁ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତେବେ ସେ କାର୍ଯ୍ୟକାରୀ ଡିଜି ଭାବେ କାମ କରିବେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ନୂଆ ଡିଜିପି ପଦ ଲାଗି ୩ ଆଇପିଏସ୍‌ଙ୍କ ନାମ ୟୁପିଏସ୍‌ସିକୁ ପଠାଯାଇଛି। ହେଲେ ତାକୁ ମଞ୍ଜୁରୀ ମିଳି ନାହିଁ। ଏମିତିରେ ଡିଜିପି ପଦକୁ ଖାଲି ନ ଛାଡ଼ିବା ଲାଗି ରାଜୀବ କୁମାରଙ୍କୁ କାର୍ଯ୍ୟଭାର ଦିଆଯାଇଛି। ଏହାପୂର୍ବରୁ ମନୋଜ ମାଳବୀୟ ଏହି ପଦରେ ଥିଲେ। ପ୍ରଥମେ ତାଙ୍କୁ ମଧ୍ୟ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତ କରାଯାଇଥିଲା। ପରେ ତାଙ୍କୁ ସ୍ଥାୟୀ ଡିଜିପି କରାଯାଇଥିଲା। ଏବେ ତାଙ୍କୁ ରାଜ୍ୟ ପୋଲିସ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି।

Share